
ପୁରୀ, ୨୪ ଜୁଲାଇ (ହି.ସ.)- ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ବାହୁଡ଼ା ଯାତ୍ରା ପାଇଁ ଚଳଚଂଚଳ ହୋଇଉଠିଛି ବଡ଼ଦାଣ୍ଡ । ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ଓ ରଥ ଟାଣିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠୁଛି ଶରଧାବାଲି । ଘଂଟା ଘଂଟା, ଶଙ୍ଖ, ବିଜେ କାହାଳୀର ଧ୍ୱନୀ ପରିବେଶକୁ ଭକ୍ତିମୟ କରିଛି । ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ମହାବାହୁ ।
ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଶୁକ୍ରବାର ସକାଳେ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା । ମହାପ୍ରଭୁଙ୍କୁ ଖେଚୁଡ଼ି ଭୋଗ ଲାଗି ହୋଇଥିଲା । ଏହାପରେ ସେନାପଟା ଲାଗି, ମଙ୍ଗଳାର୍ପଣ ଆଦି ନୀତି ସମ୍ପନ୍ନ ପରେ ଶ୍ରୀଜୀଉଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ତିନି ରଥ ପରିକ୍ରମା କରିବା ପରେ ପୂର୍ବାହ୍ନ ୧୧ଟା ୧୫ ମିନିଟ୍ ରେ ଦର୍ପଦଳନ ରଥରେ ବିଜେ କରିଥିଲେ । ବଡ ଠାକୁର ଶ୍ରୀବଳଭଦ୍ର ୧୨ଟାରେ ୫ରେ ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ । ପରେ ଦେବୀ ସୁଭଦ୍ରା ଧାଡି ପହଣ୍ଡିରେ ଆସି ୧୨ଟା ୧୮ ମିନିଟ୍ ରେ ରଥାରୁଢ଼ ହୋଇଥିଲେ । ଶେଷରେ ଟାହିଆ ହଲାଇ କାହାଳୀ, ଘଂଟ ଘଂଟାର ତାଳେ ତାଳେ ଝୁଲି ଝୁଲି ଅପରାହ୍ନ ୨ଟା ୨୦ରେ ନନ୍ଦିଘୋଷ ରଥାରୁଢ଼ ହୋଇଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ ।
ଶ୍ରୀବିଗ୍ରହମାନେ ରଥାରୁଢ଼ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ରଥ ଉପରେ ଚାଲୁ ରହିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ଚାରମାଳ ଖୋଲାଯାଇ ରଥରେ ଦଉଡ଼ି ବନ୍ଧାଯିବ । କାଷ୍ଠନିର୍ମିତ ଅଶ୍ୱ ଯୋଚାଯିବ । ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ । ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ, ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ । ପୋଲିସ ପ୍ରଶାସନ ପକ୍ଷରୁ ରଥ ଚାରିପାଖ, ବଡ଼ଦାଣ୍ଡ, ରେଳଷ୍ଟେସନ, ସମୁଦ୍ରକୂଳ ସମେତ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ