
ଝାରସୁଗୁଡ଼ା, ୨୪ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ବାହୁଡ଼ା ଯାତ୍ରା ଭକ୍ତିଭାବ ଓ ଉତ୍ସାହର ସହ ପାଳନ କରାଯାଇଛି। ପୂଜାର୍ଚ୍ଚନା, ପାରମ୍ପରିକ ରୀତିନୀତି ଏବଂ ଭକ୍ତମାନଙ୍କ ଭିଡ଼ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ଝାରସୁଗୁଡ଼ାର ପ୍ରସିଦ୍ଧ କୁକୁରଜଙ୍ଘା ଜଗନ୍ନାଥ ମନ୍ଦିରରେ ବାବା ପ୍ରେମାନନ୍ଦ ଦାସଙ୍କ ତତ୍ତ୍ୱାବଧାନରେ ସମସ୍ତ ବିଧିବିଧାନ ଅନୁଯାୟୀ ବାହୁଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅନିଲ ସିଂ ଛେରା ପହଁରା ଦାୟିତ୍ୱ ନିର୍ବାହ କରିଥିବାବେଳେ ପଣ୍ଡିତ ଅକ୍ଷୟ ମିଶ୍ର ପୂଜାର୍ଚ୍ଚନା ସମ୍ପାଦନ କରିଥିଲେ। ସେବାପୂଜା କାର୍ଯ୍ୟରେ ବସନ୍ତ ଦାସ, ତ୍ରିନାଥ ତିୱାରୀ, କୈଳାଶ ତ୍ରିପାଠୀ, ଶ୍ରୀପତି ମିଶ୍ରଙ୍କ ସମେତ ଅନେକ ବ୍ରାହ୍ମଣ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ଅବସରରେ କୁକୁରଜଙ୍ଘା ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିଥିଲେ।
ସେହିପରି ସରବାହାଲ, ମାରୱାଡ଼ି ପଡ଼ା, ବିଟିଏମ୍, ବେଲପାହାଡ଼, ଗୁମାଡ଼େରା, ବାନ୍ଧବାହାଲ, ଲଇକେରା, କୋଲାବିରା ଓ କିର୍ମିରା ସମେତ ଜିଲ୍ଲାର ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ମଧ୍ୟ ବାହୁଡ଼ା ଯାତ୍ରା ଆଡ଼ମ୍ବରର ସହ ପାଳନ କରାଯାଇଥିଲା। ମନ୍ଦିର ପରିସରରେ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସବୁଠି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା।
ବାହୁଡ଼ା ଯାତ୍ରା ଅବସରରେ ଝାରସୁଗୁଡ଼ା ସହରର ଝଣ୍ଡା ଛକ ସମେତ ବିଭିନ୍ନ ସ୍ଥାନରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶୃଙ୍ଖଳିତ ଭାବେ ଉତ୍ସବ ପାଳନ ପାଇଁ ବିଭିନ୍ନ ମନ୍ଦିର ପକ୍ଷରୁ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ