
ସାଲେପୁର, ୨୪ ଜୁଲାଇ(ହି.ସ.) – ଜଳସଂପଦ ବିଭାଗ ଅଧିନରେ ଥିବା ୯ ନମ୍ବର କେନାଲ ଉପରେ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡା ପଂଚାୟତ ପିଠାପଡା ପୋଲଟି ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି। ଦୀର୍ଘ ଦିନ ହେବ ପୋଲ ଦୁଇପାଶ୍ୱର୍ ବାଡା ଭାଙ୍ଗିରୁଜି ଯିବା ସହିତ ଏହାର ସ୍ଲାବ୍ରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ପୋଲ ତଳେ ନିର୍ମାଣ ହୋଇଥିବା ଦୁଇ ପାଶ୍ୱର୍ କାନ୍ଥ ଫାଟି ଆଁ କଲାଣି। ଦୀର୍ଘ ବର୍ଷ ହେବ ଏହି ପୋଲଟି ନିର୍ମାଣ କରାଯାଇଥିବା ବେଳେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଲର ଅବସ୍ଥା ଏଭଳି ପାଲଟିଛି। ଏହି ପୋଲ ଦେଇ ପ୍ରତ୍ୟେକ ଦିନ ସ୍ଥାନୀୟ ଗ୍ରାମବାସୀମାନେ ଷୋଳପୁଅ ମାଆ ଠାକୁରାଣୀ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଯାତାୟାତ କରୁଥିଲା ବେଳେ ଚାଷୀମାନେ ସେମାନଙ୍କର କ୍ଷେତକୁ ଫସଲ କରିବା ସମୟରେ ଯିବା ଆସିବା କରିବା ଏବଂ ବହୁ ଗୋରୁଗାଇ ଛେଳିମେଣ୍ଢାମାନେ ଚରାବୁଲା କରିବା ପାଇଁ ଏହି ପୋଲ ଦେଇ ଯାଆସ କରିଥାଆନ୍ତି। ଏହାଛଡା ଏଠାରେ ଅବସ୍ଥିତ ଶ୍ରୀ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନଙ୍କର ଯାତାୟାତ ପାଇଁ ଏହା ଏକ ପ୍ରମୁଖ ପୋଲ ପାଲଟିଥିବା ବେଳେ ବିଭିନ୍ନ ସ୍ଥାନକୁ ବହୁ ପଥଚାରୀ ଏହି ପୋଲ ଦେଇ ଯାତାୟାତ କରିଥାଆନ୍ତି। ବର୍ତମାନ ପୋଲର ଅବସ୍ଥା ଏଭଳି ପାଲଟିଛି କି ଏଥିରେ ୪ ଚକିଆ ଯାନ ଯିବା ତ ଦୂରର କଥା ଦୁଇ ଚକିଆ ଯାନ ଏବଂ ପାଦରେ ଚାଲି ଚାଲିଯିବାକୁ ଲୋକମାନେ ଭୟଭୀତ ହେଉଛନ୍ତି। କେତେବେଳେ ଯେ ଏହି ପୋଲଟି ଭୁଷୁଡି ପଡି ଧନଜୀବନ ହାନୀ ହେବ ତାହାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ବିଭାଗୀୟ ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ବିପଦ ସଂକୁଳ ପୋଲଟିକୁ ଭାଙ୍ଗିଦେଇ ଏହା ନିକଟରେ ଏକ ନୂତନ ପୋଲ ନିର୍ମାଣ ନିମନ୍ତେ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍