
ଝାରସୁଗୁଡ଼ା, 24 ଜୁଲାଇ (ହି.ସ.) ଝାରସୁଗୁଡ଼ା ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ତଥା ସରକାରଙ୍କ ଏଫ୍.ଏ-ସହ-ଅତିରିକ୍ତ ଶାସନ ସଚିବ ସଞ୍ଜୟ ଲୁଗୁନ୍ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ଅନ୍ତର୍ଗତ ଚିଠା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଏହି ଗସ୍ତ ସମୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ-ସହ-ଅତିରିକ୍ତ ଜିଲ୍ଲାପାଳ (ଝାରସୁଗୁଡ଼ା), ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଉପ-ଜିଲ୍ଲାପାଳ (ନିର୍ବାଚନ) ଏବଂ ଜିଲ୍ଲା ନିର୍ବାଚନ ବିଭାଗର ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଚିଠା ଭୋଟର ତାଲିକା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ଓ ପରବର୍ତ୍ତୀ ପଦକ୍ଷେପଗୁଡ଼ିକର ଅନୁଧ୍ୟାନ କରାଯାଇଥିଲା। କ୍ଷେତ୍ରସ୍ତରୀୟ ମୂଲ୍ୟାଙ୍କନର ଅଂଶସ୍ୱରୂପ, ବରିଷ୍ଠ ଅଧିକାରୀ ଶ୍ରୀ ଲୁଗୁନ୍ ୦୬-ବ୍ରଜରାଜନଗର ଏବଂ ୦୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଶୁଣାଣି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ଦ୍ୱାରା ଦାବି ଓ ଆପତ୍ତିଗୁଡ଼ିକର କରାଯାଉଥିବା ଶୁଣାଣି ପ୍ରକ୍ରିୟାକୁ ସେ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ସେ ଏ ଇ ଆର୍ ଓ, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବି ଏଲ ଓ ସୁପରଭାଇଜରମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଥିଲେ। କ୍ଷେତ୍ରସ୍ତରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଚିହ୍ନଟ କରିବା ସହ ସେଗୁଡ଼ିକର ଶୀଘ୍ର ଓ ନିର୍ଭୁଲ୍ ସମାଧାନ ପାଇଁ ସେ ପରାମର୍ଶ ଦେଇଥିଲେ, ଯାହାଦ୍ୱାରା ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସୁଚାରୁରୂପେ ସମ୍ପାଦିତ ହୋଇପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ