ଫିରିଙ୍ଗିଆ ବ୍ଲକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପରେ ବାଲ୍ ରକ୍ଷା ଭାରତ ଦ୍ୱାରା ଏକ ରାଉଣ୍ଡ ଟେବୁଲ୍ ବୈଠକ
Round table meeting by Bal rakhya bharat
ଫୋଟ


କନ୍ଧମାଳ, ୨୪ ଜୁଲାଇ (ହି.ସ.)-

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକରେ ବାଲ ରକ୍ଷା ଭାରତ ଓ ସ୍ୱାସ୍ଥ୍ୟ ବିଭାଗ, ଓଡ଼ିଶାଙ୍କ ମିଳିତ ସହଯୋଗରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ କେନ୍ଦ୍ର କରି ଏକ ରାଉଣ୍ଡ ଟେବୁଲ୍ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଉନ୍ନତି ସହ ଗର୍ଭଧାରଣରୁ ଶିଶୁର ଦ୍ୱିତୀୟ ଜନ୍ମଦିନ ପର୍ଯ୍ୟନ୍ତର ପ୍ରଥମ ୧୦୦୦ ଦିନର ଗୁରୁତ୍ୱ ସମ୍ପର୍କରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦକ୍ଷତା ବୃଦ୍ଧି କରିବା।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏଡିଶିନାଲ ଡାଇରେକ୍ଟର ଡ଼ଃ. ଆଦିତ୍ୟ ମହାପାତ୍ର, ଡିଏଚଏଚ ଖୋର୍ଦ୍ଧା ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ବରିଷ୍ଠ ଡା. ରିତାଞ୍ଜଳି ମିଶ୍ର, ଡିଏମଆରସିଏଚ ଶକ୍ତି କୁମାର ଦିଗାଲ, ଫିରିଙ୍ଗିଆ ଓ କେ.ନୂଆଗାଁ ର ବିପିଏଚଓ, ବିପିଏମ, ବିଡିମ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଫିରିଙ୍ଗିଆ ଓ କେ.ନୂଆଗାଁ ବ୍ଲକର ପ୍ରାୟ ୮୦ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଥମ ୧୦୦୦ ଦିନର ଗୁରୁତ୍ୱ ଉପରେ କ୍ଷମତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଡା. ଆଦିତ୍ୟ ମହାପାତ୍ର ଓ ଡା. ରିତାଞ୍ଜଳି ମିଶ୍ର ଗର୍ଭାବସ୍ଥାରୁ ଶିଶୁର ଦ୍ୱିତୀୟ ଜନ୍ମଦିନ ପର୍ଯ୍ୟନ୍ତ ସନ୍ତୁଳିତ ପୋଷଣ, ପ୍ରସବ ପୂର୍ବ ଓ ପ୍ରସବ ପରବର୍ତ୍ତୀ ସେବା, ନବଜାତ ଶିଶୁର ଯତ୍ନ ଏବଂ ସମୁଦାୟ ସ୍ତରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଅବସରରେ ବାଲ ରକ୍ଷା ଭାରତର ଲିଡ୍ ପ୍ରଦୀପ କୁମାର ମିଶ୍ର ଏବଂ ଓଡ଼ିଶା ଲିଡ୍ ଡ଼ଃ. ଅଭିଜିତ ଭଦ୍ର ବାଲ ରକ୍ଷା ଭାରତ ଓ ‘ସ୍ୱାଗତ’ ପ୍ରକଳ୍ପ ସମ୍ପର୍କରେ ଉପସ୍ଥାପନା କରିଥିଲେ।

ବକ୍ତାମାନେ କହିଥିଲେ ଯେ, ଜୀବନର ପ୍ରଥମ ୧୦୦୦ ଦିନ ଶିଶୁର ଶାରୀରିକ ଓ ମାନସିକ ବିକାଶର ମୂଳ ଆଧାର ଅଟେ। ଏହି ସମୟରେ ଉପଯୁକ୍ତ ପୋଷଣ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଠିକ୍ ଯତ୍ନ ଦ୍ୱାରା ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ଏକ ସୁସ୍ଥ ପିଢ଼ି ଗଠନ କରାଯାଇପାରିବ। ଏଭଳି ପଦକ୍ଷେପ ମାଧ୍ୟମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ସହ ସମୁଦାୟ ସ୍ତରରେ ସ୍ୱାସ୍ଥ୍ୟ ସଚେତନତା ଓ ସେବାର ଗୁଣବତ୍ତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande