
ମାଲକାନଗିରି , ୨୪ ଜୁଲାଇ (ହି.ସ.) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହୋଇଛି। ଚଳିତ ମାସ ୨୧ ତାରିଖରେ ରାଜ୍ୟ ସରକାରଙ୍କ ପତ୍ରାଙ୍କ ନଂ ୭୯୩୩ ଅନୁଯାୟୀ ଜିଲାର ମୋଟ ଛଅଟି ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବା ବେଳେ କୋରୁକୋଣ୍ଡା ବ୍ଲକର ଏମଭି - ୨୭ ୟୁଜିଏଚଏସ (କଳା) ଏବଂ ତାର୍ଲାକୋଟା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ(ବିଜ୍ଞାନ) କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି । ଏହି ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ଶିକ୍ଷା ବର୍ଷରେ ଅଧିକରୁ ଅଧିକଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ଉକ୍ତ ପତ୍ରରେ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି । ଏହି ଖବର ପାଇବା ପରେ କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ୧୫/୨୦ କିଲୋମିଟର ରାସ୍ତା ଅତିକ୍ରମ କରି ବାଲିମେଳା ଓ କୁଡୁମୁଲୁଗୁମା ପାଠ ପଢ଼ିବାକୁ ଯାଉଥିଲେ । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେଏହାର ଆଖପାଖ ଅଞ୍ଚଳର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବେ ଆଶ୍ବସ୍ତ ହୋଇଛନ୍ତି। ଅଞ୍ଚଳର ବୁଦ୍ଧିଜୀବୀ ଏଭଳି ପଦକ୍ଷେପକୁ ସ୍ବାଗତ ଜଣାଇଛନ୍ତି । କୋରୁକୋଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମଣିଶଙ୍କର ମଜୁମଦାର, ତାର୍ଲାକୋଟା ପୂର୍ବତନ ସରପଞ୍ଚ ସୋମନାଥ ବାର୍ସେ ପ୍ରମୁଖ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ