
ମାଲକାନଗିରି , ୨୪ ଜୁଲାଇ (ହି.ସ.) କୃଷକଙ୍କ ସୁବିଧା ଓ ଯାତାୟାତକୁ ଦୃଷ୍ଟିରେ ରଖି ମାଲକାନଗିରି ବ୍ଲକ ଗୋରାଖୁଣ୍ଟା ପଞ୍ଚାୟତ କୃଷୁୱାଡ଼ାରେ ଚାଲୁଥିବା ଧାନମଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାନଯାଉ ବୋଲି ସ୍ଥାନୀୟ ଚାଷୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। କିଛି ବ୍ୟକ୍ତିଗତ ସ୍ୱାର୍ଥକୁ ବିଚାରକୁ ନେଇ କୃଷୁୱାଡ଼ାରୁ ଧାନମଣ୍ଡିକୁ ପଞ୍ଚାୟତ ମୁଖ୍ୟାଳୟ ଗୋରାଖୁଣ୍ଟାକୁ ସ୍ଥାନାନ୍ତର କରିବା ନେଇ ଉଦ୍ୟମ ହେଉଥିବା ଅଭିଯୋଗ ଉଠିଛି।
ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ, କୃଷୁୱାଡ଼ାରେ ଧାନମଣ୍ଡି ପ୍ରଥମ ବର୍ଷରୁ ହିଁ ସୁରୁଖୁରୁରେ ଚାଲିଆସୁଛି। ଏହି ମଣ୍ଡି କୃଷୁୱାଡ଼ା ସମେତ ପନାରଗୁଡ଼ା, ଏମ୍ଭି-୨୦, ଏମ୍ଭି-୨୧, ଏମ୍ପିଭି-୨, ସିଙ୍ଗାନଗୁଡ଼ା ଓ ମଟମଗୁଡ଼ା ଭଳି ପ୍ରାୟ ୭ଟି ଗ୍ରାମର ଚାଷୀଙ୍କ ପାଇଁ ଭୌଗୋଳିକ ଭାବେ ସୁବିଧାଜନକ ସ୍ଥାନରେ ରହିଛି। ମଣ୍ଡିକୁ ଗୋରାଖୁଣ୍ଟାକୁ ସ୍ଥାନାନ୍ତର କରାଗଲେ କେବଳ ଦୁଇଟି ଗ୍ରାମର ଚାଷୀ ଉପକୃତ ହେବେ, କିନ୍ତୁ ଅନ୍ୟ ଗ୍ରାମଗୁଡ଼ିକର ଚାଷୀଙ୍କୁ ଅଧିକ ଦୂର ଯାତ୍ରା କରି ଧାନ ଆଣିବାକୁ ପଡ଼ିବ ବୋଲି ଚାଷୀମାନେ କହିଛନ୍ତି।
କୃଷୁୱାଡ଼ା ଧାନମଣ୍ଡି ନିକଟରେ ଏକ ଧାନମିଲ୍ ରହିଥିବାରୁ ଧାନ ପରିବହନ ଓ ମଣ୍ଡି ପରିଚାଳନା ଦୃଷ୍ଟିରୁ ଏହି ସ୍ଥାନ ଅଧିକ ସୁବିଧାଜନକ ବୋଲି ଚାଷୀମାନେ ମତ ଦେଇଛନ୍ତି। ଏହାଛଡ଼ା ମଣ୍ଡିଟି ଜାତୀୟ ରାଜପଥ-୩୨୬ଠାରୁ ମାତ୍ର ପ୍ରାୟ ୩ କିଲୋମିଟର ଦୂରରେ ରହିଥିବାରୁ ଧାନ ପରିବହନରେ ମଧ୍ୟ ସୁବିଧା ହେଉଛି।
ମଣ୍ଡି ନିକଟରେ ଦୋକାନ ବଜାର ରହିଥିବାରୁ ଦୂରଦୂରାନ୍ତରୁ ଧାନ ନେଇ ଆସୁଥିବା ଚାଷୀମାନେ ଖାଦ୍ୟପାନୀୟ ସହ ଆବଶ୍ୟକ ସାମଗ୍ରୀ ସହଜରେ ପାଇପାରୁଛନ୍ତି। ଏଥିସହ କୃଷୁୱାଡ଼ା ମଣ୍ଡି ସିଖପାଲ୍ଲୀ ଲ୍ୟାମ୍ପ୍ସଠାରୁ ମଧ୍ୟ ନିକଟରେ ରହିଥିବାରୁ ଚାଷୀଙ୍କ ପାଇଁ ଏହା ଏକ ସୁବିଧାଜନକ ସ୍ଥାନ ବୋଲି ଅଞ୍ଚଳବାସୀ କହିଛନ୍ତି।
ଅନ୍ୟପକ୍ଷରେ, ପୂର୍ବରୁ ମଣ୍ଡି ସ୍ଥାନାନ୍ତରଣ ନେଇ ଦିଆଯାଇଥିବା ନିବେଦନପତ୍ରରେ ଅନ୍ୟ ଗ୍ରାମର ଚାଷୀଙ୍କ ନାମରେ ମିଥ୍ୟା ଦସ୍ତଖତ ଓ ଟିପଚିହ୍ନ ନିଆଯାଇଥିବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ପ୍ରକୃତ ଚାଷୀଙ୍କ ମତାମତ ନିଆଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
ଚାଷୀମାନଙ୍କ ସୁବିଧା, ଦୂରତା, ଯାତାୟାତ ବ୍ୟବସ୍ଥା, ଧାନମିଲ୍ର ନିକଟତା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାକୁ ବିଚାରକୁ ନେଇ କୃଷୁୱାଡ଼ାରେ ହିଁ ଧାନମଣ୍ଡିକୁ ଅବ୍ୟାହତ ରଖାଯାଉ ଏବଂ ଏହାକୁ ଗୁରାଖୁଣ୍ଟାକୁ ସ୍ଥାନାନ୍ତର କରାନଯାଉ ବୋଲି ଚାଷୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି।
ଏନେଇ ମାଲକାନଗିରି ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଭେଟି ଗ୍ରାମବାସୀ ମାନେ ଘଟଣାରେ ହସ୍ତକ୍ଷେପ କରି ମାମଲାର ସଠିକ୍ ଅନୁଧ୍ୟାନ କରିବା ସହ ଚାଷୀଙ୍କ ବ୍ୟାପକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷୁୱାଡ଼ା ଧାନମଣ୍ଡିକୁ ସ୍ଥାନାନ୍ତର ନକରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ