
ଭୁବନେଶ୍ୱର,୨୪ ଜୁଲାଇ (ହି.ସ)- ଦୀର୍ଘ ୨୬ ଦିନ ଧରି ଦିଲ୍ଲୀର ଯନ୍ତରମନ୍ତର ଠାରେ ନିଟ ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଯେଉଁ ଗଣତାନ୍ତ୍ରିକ ଉପାୟରେ ଛାତ୍ର ଆନ୍ଦୋଳନ ଚାଲୁ ରହିଛି । ତାହାକୁ ରାଜ୍ୟ ଆଇନମନ୍ତ୍ରୀଙ୍କର ତାଛଲ୍ୟ ଓ ଏହି ଆନ୍ଦୋଳନକୁ ଚାଇନାରୁ ଆର୍ôଥକ ସହାୟତା ଆସୁଥିବା କଥା କହିବା ଏବଂ ଏହି ଆନ୍ଦୋଳନରେ ପାକିସ୍ଥାନୀ ଲିଙ୍କ କହି ଛାତ୍ରମାନଙ୍କୁ ଆତଙ୍କବାଦୀ ରୂପେ ତୁଳନାକରିବାକୁ ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହିତ ଆଇନମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ନିଜ ଦେଶର ଛାତ୍ରଛାତ୍ରୀ ଦୀର୍ଘ ୨୬ ଦିନ ଧରି ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବା ସହିତ ଆସନ୍ତା ପୀଢ଼ିମାନେ ଭବିଷ୍ୟତରେ କିଭଳି ପ୍ରଶ୍ନପତ୍ର ଲିକ ନହେବ ଓ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଥିବା ଭୁଲ ତ୍ରୁଟିକୁ ସୁଧାରିବା ଆନ୍ଦୋଳନକୁ ଆମେ ଆତଙ୍କବାଦୀଙ୍କ ଆନ୍ଦୋଳନ କହିବା ଗରହିତ ଅପରାଧ । ସାମ୍ବିଧାନିକ ପଦବୀରେ ରହି ନିଜ ପଦମର୍ଯ୍ୟାଦାକୁ ଆଇନମନ୍ତ୍ରୀ ଭୁଲିଯାଉଛନ୍ତି । ନିଜ ସରକାରର ଅପାରଗତାକୁ ଲୁଚାଇବାକୁ ଯାଇ ପୂର୍ବ ସରକାରକୁ ଗାଳି ଦେବା ବିଜେପି ଦଳ ଓ ସରକାରର ଏକ ନିତିଦିନିଆ ବ୍ୟାପାରରେ ପରିଣତ ହୋଇସାରିଲାଣି । ଲୋକତାନ୍ତ୍ରିକ ବ୍ୟବସ୍ଥାରେ ମନ୍ତ୍ରୀ ଉତ୍ତରଦାୟୀ ବୋଲି ସ୍ପଷ୍ଟ ଉଲ୍ଲେଖ୍ୟ ଥିଲା ବେଳେ ବିଜେପି ସରକାର ସମୟରେ ମନ୍ତ୍ରୀ ମାନଙ୍କର ଅପାରଗତା ଓ ତାଙ୍କ ବିଭାଗର ଅପାରଗତାକୁ ନେଇ ପ୍ରଶ୍ନ କରିବା ଓ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିବା ଏହା ଆମ ଲୋକତାନ୍ତ୍ରିକ ବ୍ୟବସ୍ଥାର ନିୟମ । ନିଟ ୟୁଜି ପ୍ରଶ୍ନପତ୍ର ଲିକ ଯୋଗୁଁ ୨୨ ଜଣ ଛାତ୍ରଛାତ୍ରୀ ନିଜ ଜୀବନ ହାରିଲେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ଓ ଦୃଢ଼ ନିଷ୍ପତି ନେବା କେବେ ଦେଖାଗଲା ନାହିଁ । ଛାତ୍ର ଆନ୍ଦୋଳନ ୨୫ ଦିନ ପରେ ରାତି ୧୨ ଟାରେ ପ୍ରଧାନମନ୍ତ୍ରୀଙ୍କର ପ୍ରଶ୍ନପତ୍ର ଲିକ ଏକ ମାମୁଲି ଘଟଣା ନୁହେଁ ବୋଲି କହିବା ଏକ କୁମ୍ଭୀର କାନ୍ଦଣା ବୋଲି ଆଜି କଂଗ୍ରେସ ଭବନରେ ଏକ ପ୍ରେସ ବାର୍ତ୍ତାରେ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଥିଲେ ।
ରାଜ୍ୟ ଆଇନମନ୍ତ୍ରୀ ନିଜ ବିଭାଗର ଦାୟିତ୍ୱକୁ ଠିକସେ ତୁଲାନ୍ତୁ । ଦଳୀୟ ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥ ଠାରୁ ବଡ଼ ବୋଲି ଭାବନ୍ତୁ ନାହିଁ । ଯେପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦଉନାହାନ୍ତି, ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ କ୍ଷମା ପ୍ରାର୍ଥନା କରୁ ନାହାନ୍ତି ଏବଂ ଶିକ୍ଷା ବ୍ୟବସ୍ଥାର ତ୍ରୁଟିକୁ ସୁଧାରିବା ପାଇଁ ସଂସଦରେ ଆଲୋଚନା ହୋଇନାହିଁ ସେ ପର୍ଯ୍ୟନ୍ତ ଛାତ୍ର ଆନ୍ଦୋଳନ ଚାଲୁରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା