ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରୁଛନ୍ତି ଓଡିଆ ଯୁବକ
ଭୁବନେଶ୍ୱର, ୨୪ ଜୁଲାଇ (ହି.ସ)- ଘରକୁ ଫେରିବେ ସାଉଦି ଆରବରେ ଫସି ରହିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ର। ଶିଳ୍ପ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉଦ୍ୟମ ଯୋଗୁଁ ଘରକୁ ସୁରକ୍ଷିତ ଫେରିବେ ପ୍ରଳୟ। ତାଙ୍କୁ ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର
ଶିଳ୍ପ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରୁ ଫେରୁଛନ୍ତି ଓଡିଆ ଯୁବକ


ଭୁବନେଶ୍ୱର, ୨୪ ଜୁଲାଇ (ହି.ସ)- ଘରକୁ ଫେରିବେ ସାଉଦି ଆରବରେ ଫସି ରହିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ର। ଶିଳ୍ପ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉଦ୍ୟମ ଯୋଗୁଁ ଘରକୁ ସୁରକ୍ଷିତ ଫେରିବେ ପ୍ରଳୟ। ତାଙ୍କୁ ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ମନ୍ତ୍ରୀ । ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ମଧ୍ୟ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚିଠି ଲେଖିବା ପରେ ଜେଦ୍ଦାହସ୍ଥିତ ଭାରତୀୟ ଦୂତାବାସ ପ୍ରଳୟଙ୍କୁ 'ଫାଇନାଲ୍ ଏକଜିଟ୍' ଏବଂ ବିମାନ ଟିକେଟ୍ ପ୍ରଦାନ କରିବା ପାଇଁ ସମ୍ପୃକ୍ତ ନିଯୁକ୍ତିଦାତାଙ୍କ ସହ ଆଲୋଚନା କରିଥିଲେ। ଦୂତାବାସର ହସ୍ତକ୍ଷେପ ଏବଂ କମ୍ପାନୀ ସହିତ ନିରନ୍ତର ଯୋଗାଯୋଗ ଫଳରେ, କମ୍ପାନୀ ତାଙ୍କୁ 'ଫାଇନାଲ୍ ଏକଜିଟ୍' ମଞ୍ଜୁର କରିବା ସହ ବିମାନ ଟିକେଟ୍ ଯୋଗାଇ ଦେଇଛି। ଆସନ୍ତା ଜୁଲାଇ ୨୬ତାରିଖରେ ଭାରତ ଫେରିବେ ପ୍ରଳୟ।

ଜଗତସିଂହପୁର ଜିଲ୍ଲାର ପ୍ରଳୟ ରଞ୍ଜନ ମହାପାତ୍ର ଗତ ୨୪.୦୫.୨୦୨୪ରେ ସାଉଦି ଆରବ ଯାଇଥିଲେ । ସେଠାରେ ସେ 'ମଜାଦ୍ ଅଲ୍-ହରବି' କୋ. ନାମକ ଏକ କମ୍ପାନୀରେ ହୁଇଲ୍ ଲୋଡର୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ଗତ ୩୦.୦୪.୨୦୨୬ରେ ଉକ୍ତ କମ୍ପାନୀ ଏବଂ ପ୍ରଳୟ ରଞ୍ଜନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅବଧି ଶେଷ ହୋଇଥିଲା। କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ପ୍ରଳୟଙ୍କୁ ଭାରତ ଫେରିବାକୁ ଅନୁମତି ଦେଉନଥିଲେ। ପ୍ରଳୟଙ୍କ ମାଆ ପ୍ରତିମା ସେଠୀ ଏନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଜଣାଇବା ସହ ପୁଅକୁ ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ମନ୍ତ୍ରୀ।

ପୁଅ ସାଉଦି ଆରବରେ ଫସି ରହିଥିବାରୁ ପ୍ରଳୟଙ୍କ ପୂରା ପରିବାର ମାନସିକ ଚିନ୍ତାରେ ଥିଲେ। ବାପା ସାଧୁ ଚରଣ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ବେଳେ ମାନସିକ ଦୁଶ୍ଚିନ୍ତା ବଢି ଯାଇଥିଲା। ତେବେ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଆସନ୍ତା ରବିବାର ଭାରତ ଫେରୁଛନ୍ତି ପ୍ରଳୟ। ଏହାପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଳୟଙ୍କ ପରିବାର ଲୋକେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande