ୟଙ୍ଗ ଇଣ୍ଡିଆ ପାର୍ଲିଆମେଂଟ - ୨୦୨୬ର ଉଦଘାଟନୀ ସମାରୋହରେ ଯୋଗ ଦେଲେ ରାଜ୍ୟପାଳ
ଯୁବ ପିଢିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ: ରାଜ୍ୟପାଳ ଭୁବନେଶ୍ୱର,୨୪ ଜୁଲାଇ (ହି.ସ)- ଯୁବ ପିଢିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଶୁକ୍ରବାର ଦିନ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)
dfgett


ଯୁବ ପିଢିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ: ରାଜ୍ୟପାଳ

ଭୁବନେଶ୍ୱର,୨୪ ଜୁଲାଇ (ହି.ସ)- ଯୁବ ପିଢିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଶୁକ୍ରବାର ଦିନ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଭୁବନେଶ୍ୱର ଚାପ୍ଟର ଦ୍ୱାରା କଳିଙ୍ଗ ଷ୍ଟାଡିୟମର ଟେନିସ ଅଡିଟୋରିୟମଠାରେ ଆୟୋଜିତ ଦୁଇ ଦିନିଆ ୟଙ୍ଗ ଇଣ୍ଡିଆ ପାର୍ଲିଆମେଂଟ- ୨୦୨୬ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରକୃତ ନେତୃତ୍ୱ ତର୍କ ଜିତିବାରେ ନୁହେଁ ବରଂ ସମାଜ ଓ ଦେଶର କଲ୍ୟାଣ ପାଇଁ ସମାଧାନ ଖୋଜିବାରେ ନିହିତ।

ଭାରତ ସର୍ବବୃହତ ଗଣତନ୍ତ୍ର ହେବା ହିଁ ତା’ର ସବୁଠୁ ବଡ଼ ଶକ୍ତି ନୁହେଁ ବରଂ ଲୋକଙ୍କୁ ବାନ୍ଧି ରଖୁଥିବା ମୂଲ୍ୟବୋଧ ହିଁ ଏହାର ପ୍ରକୃତ ଶକ୍ତି। ଗଣତନ୍ତ୍ର ସକ୍ରିୟ ନାଗରିକ ଅଂଶଗ୍ରହଣ, ଉତରଦାୟୀ ଅନୁଷ୍ଠାନ ଓ ସଚେତନ ଜନମତ ଉପରେ ନିର୍ଭର କରେ। ଏହା ପ୍ରତ୍ୟେକ ନାଗରିକଙ୍କୁ ଜାତୀୟ ଉନ୍ନୟନରେ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ଦେଇଥାଏ।

ସଂସଦ ଓ ବିଧାନସଭାକୁ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧର ଜୀବନ୍ତ ସ୍ତମ୍ଭ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ, ଏହି ପ୍ରତିଷ୍ଠାନଗୁଡ଼ିକ ବିବିଧ ମତାମତର ମିଳନସ୍ଥଳ, ନୀତି ବିତର୍କ, ଆଇନ ପ୍ରଣୟନ ଓ ସରକାରଙ୍କ ଉତରଦାୟୀତ୍ୱ ନିଶ୍ଚିତ କରିବାର ମଂଚ ପ୍ରଦାନ କରେ। ଗଠନମୂଳକ ବିତର୍କ, ଯୁକ୍ତିପୂର୍ଣ୍ଣ ଆଲୋଚନା ଓ ସମ୍ମାନଜନକ ଅସମ୍ମତି ହିଁ ଏକ ସଚଳ ଗଣତନ୍ତ୍ରର ଲକ୍ଷଣ।

ଛାତ୍ର-ଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ପରମ୍ପରା ଉପରେ ଆଧାରିତ ରହିବାକୁ ଆହ୍ୱାନ ଦେଇ ରାଜ୍ୟପାଳ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ସେମାନଙ୍କର ସାଧୁତା, ସଚେତନତା ଓ ବୃହତର ଜନହିତ ପ୍ରତି ପ୍ରତିବଦ୍ଧତା ଉପରେ ନିର୍ଭର କରିବ। ୟଙ୍ଗ ଇଣ୍ଡିଆ ପାର୍ଲିଆମେଂଟ କେବଳ ଏକ ମକ ପାର୍ଲିଆମେଂଟ ନୁହେଁ ବରଂ ଏହା ନେତୃତ୍ୱ, ସୁକ୍ଷ୍ମ ଚିନ୍ତନ, ଆତ୍ମବିଶ୍ୱାସ ଓ ଜନସେବାର ଭାବନା ବିକଶିତ କରିବାର ଏକ ପ୍ଲାଟଫର୍ମ।

ସଙ୍କଟ ସମୟରେ ଯୁବପିଢ଼ି ସବୁଠୁ ଅଭିନବ ସମାଧାନର ସୂତ୍ର ଦେଇଥାନ୍ତି ବୋଲି ଆତ୍ମବିଶ୍ୱାସ ପ୍ରକାଶ କରି ରାଜ୍ୟପାଳ ଅଂଶଗ୍ରହଣକାରୀମାନଙ୍କୁ ଆତ୍ମବିଶ୍ୱାସର ସହିତ କହିବା, ଧୈର୍ଯ୍ୟର ସହିତ ଶୁଣିବା, ଭିନ୍ନ ମତକୁ ସମ୍ମାନ କରିବା ଏବଂ ବ୍ୟକ୍ତିଗତ ପସନ୍ଦ ଉପରେ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି। ନିଜର ଅଭିଜ୍ଞତା ଉପରେ ଆଲୋକପାତ କରି ସାଂସଦ ଭାବେ ତାଙ୍କ କାର୍ଯ୍ୟକାଳରେ ୯୭ ପ୍ରତିଶତ ଉପସ୍ଥିତ ରହିଥିବା କଥା ଉଲ୍ଲେଖ କରିବା ସହ ଲୋକଙ୍କ ସମସ୍ୟା ଶୁଣିବା ହିଁ ସେମାନଙ୍କ ଆକାଂକ୍ଷା ବୁଝିବାର ମୂଳ ପ୍ରସଙ୍ଗ ବୋଲି ରାଜ୍ୟପାଳ କହିଥିଲେ।

କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ପ୍ରଯୁକ୍ତିର ପରିବର୍ତନକାରୀ ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ପ୍ରଯୁକ୍ତିଗତ ଉନ୍ନତି ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପରିବର୍ତିତ କରୁଛି, କିନ୍ତୁ ଉଦ୍ଭାବନ ନୈତିକତା, ଦାୟିତ୍ୱ ଓ ସାଂବିଧାନିକ ନୀତି ଦ୍ୱାରା ପରିଚାଳିତ ହେବା ଉଚିତ। ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରଗତି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାଂବିଧାନିକ ପ୍ରକ୍ରିୟା ସହିତ ଚାଲିବା ଉଚିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆର୍ôଥକ ଆତ୍ମସୁରକ୍ଷା ଆହ୍ୱାନକୁ ଅବତାରଣା କରି ରାଜ୍ୟପାଳ ଯୁବପିଢିକୁ ଆହ୍ୱାନ ଦେଇଥିଲେ ଯେ, ପଶ୍ଚିମ ଏସିଆର ଭୂ-ରାଜନୈତିକ ପରିସ୍ଥିତି ଓ ଆମଦାନି ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବୈଦ୍ୟୁତିକ ଯାନବାହନ ଆପଣାଇବା ଜରୁରୀ। ରାଜ୍ୟପାଳଙ୍କ ଅଫିସିଆଲ କନଭଏରେ ବୈଦ୍ୟୁତିକ ଯାନ ବ୍ୟବହାର କରାଯାଉଥିବା କଥା ଉଲ୍ଲେଖ କରି ସେ କହିଥିଲେ ଯେ, ବ୍ୟକ୍ତିଗତ ଆଚରଣ ପରିବର୍ତନ ଜାତୀୟ ଆତ୍ମନିର୍ଭରତା ଓ ସ୍ଥିର ଉନ୍ନୟନରେ ବଡ଼ ଯୋଗଦାନ ଦେଇପାରିବ।

ଏହି ଅବସରରେ ସିଆଇଆଇ ଓଡ଼ିଶା ଷ୍ଟେଟ୍ କାଉନ୍ସିଲ ଭାଇସ ଚେୟାରମ୍ୟାନ ମଣିକାନ୍ତ ନାୟକ ଓ ୟଙ୍ଗ ଇଣ୍ଡିଆ ଭୁବନେଶ୍ୱରର ମେଂଟର ବିଶାଲ ଦାଲମିଆ ମଧ୍ୟ ଏହି ଅବସରରେ ଉଦବୋଧନ ଦେଇଥିଲେ। ୟଙ୍ଗ ଇଣ୍ଡିଆ ଭୁବନେଶ୍ୱରର ଚେୟାରପର୍ସନ ଗୌରବ ଗୋଏଲ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋ-ଚେୟାରପର୍ସନ ପ୍ରୋଶିଷ ଗୋଲ୍ୟାନ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande