
ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.)-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୋମବାର ଜନଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗରିକମାନଙ୍କ ଅଭିଯୋଗ ଶୁଣିଛନ୍ତି। ଲୋକଙ୍କ ସମସ୍ୟାର ସ୍ଥାୟୀ ପ୍ରତିକାର, ସରକାରଙ୍କ ମୁଖ୍ୟ ପ୍ରାଥମିକତା ହୋଇଥିବାବେଳେ, ସମସ୍ତ ଅଭିଯୋଗର ତୁରନ୍ତ ଓ ସମୟବଦ୍ଧ ସମାଧାନ ପାଇଁ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।
ଶାସନ ବ୍ୟବସ୍ଥାକୁ ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ନାଗରିକଙ୍କ ପର୍ଯ୍ୟନ୍ତ ପହଂଚାଇବା ଏବଂ ସେମାନଙ୍କ ସମସ୍ୟାର ସମୟବଦ୍ଧ ସମାଧାନ କରିବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏହି କ୍ରମରେ ସୋମବାର ଭୁବନେଶ୍ୱର ୟୁନିଟ୍-୨ ରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାଗରିକମାନଙ୍କ ଅଭିଯୋଗ ପ୍ରତ୍ୟକ୍ଷ ଭାବେ ଶୁଣିବା ସହ ଗ୍ରହଣ କରାଯାଇଥିବା ପ୍ରତ୍ୟେକଟି ଆବେଦନର ତୁରନ୍ତ, ସମୟବଦ୍ଧ ଓ ନ୍ୟାୟପୂର୍ଣ୍ଣ ନିରାକରଣ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ଆମ ଦାୟିତ୍ୱବୋଧକୁ ଆହୁରି ଦୃଢ଼ୀଭୂତ କରିଛି। ସାଧାରଣ ନାଗରିକ ଓ ଶାସନ ବ୍ୟବସ୍ଥା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ବ୍ୟବସ୍ଥାକୁ ଜନସାଧାରଣଙ୍କ ନିକଟତର କରିବା ଆମର ନିରନ୍ତର ପ୍ରୟାସ। ପୂର୍ବ ସରକାର ସମୟରେ ଆଡ଼ମ୍ବରପୂର୍ଣ୍ଣ ଓ ଅପହଂଚ ହୋଇ ରହିଥିବା ଶାସନ ବ୍ୟବସ୍ଥାରେ ପରିବର୍ତନ ଆଣି, ଆମ ସରକାର ସ୍ୱଚ୍ଛତା ଓ ଜନସେବାକୁ ପ୍ରାଥମିକତା ଦେଉଛନ୍ତି।
ଏ ସରକାର ହେଉଛନ୍ତି ଲୋକଙ୍କ ସରକାର। ନାଗରିକଙ୍କ କଥା ଶୁଣିବା ଏବଂ ସେମାନଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ଆମ ପ୍ରଶାସନର ମୁଖ୍ୟ ଆଭିମୁଖ୍ୟ। ସାଧାରଣ ଜନତାଙ୍କ କଲ୍ୟାଣ ଓ ସେବା ପାଇଁ ଆମର ଏହି ପ୍ରଚେଷ୍ଟା ନିରନ୍ତର ଅବ୍ୟାହତ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା