
ଜୟପୁର, ୨୭ ଜୁଲାଇ(ହି.ସ.) – ସିପିଆଇ କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ଭାରତ ବର୍ଷର ରାଜଧାନୀ ଦିଲ୍ଲୀର ଯନ୍ତର ମନ୍ତର ଠାରେ ସଫଳ ଐତିହାସିକ ଛାତ୍ର ଆନ୍ଦୋଳନକୁ ସ୍ୱାଗତ ଜଣାଇବା ସହ ଦୀର୍ଘ ବର୍ଷ ପରେ ଯୁବ ଛାତ୍ର ଆନ୍ଦୋଳନ ସରକାରର ଦାୟିତ୍ୱବଦ୍ଧତାକୁ ସୁନିଶ୍ଚିତ କରିବାରେ ସଫଳ ହୋଇଛନ୍ତି। ନିଟ୍ -ୟୁଜି ପରୀକ୍ଷା ପୂର୍ବରୁ ବାରମ୍ବାର ପ୍ରଶ୍ନ ପତ୍ର ପ୍ରଘଟ ଏବଂ ଏଥିଯୋଗୁଁ ୨୨ ଜଣ ଆଶାୟୀ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ସାରା ଦେଶକୁ ଆନ୍ଦୋଳିତ କରିଥିଲା। କକ୍ରୋଚ୍ ଜନତା ପାର୍ଟିର ବ୍ୟାନରରେ ଛାତ୍ର ଆନ୍ଦୋଳନ ସମସ୍ତଙ୍କୁ ଏକାଠି କରିଥିଲା। ଏଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବି କରିଥିଲେ। ମାସାଧିକ କାଳ ଆନ୍ଦୋଳନ ଏବଂ ଜୁଲାଇ ୨୦ ସଂସଦ ମାର୍ଚ୍ଚ ଦେଶରେ ଉଦ୍ବେଳନ ସୃଷ୍ଟି କରିଥିଲା। ଦେଶବ୍ୟାପୀ ବିଭିନ୍ନ ସହରରେ ଛାତ୍ର ଛାତ୍ରୀ ଐକ୍ୟବଦ୍ଧ ଶକ୍ତି ପ୍ରଦର୍ଶନ କରିଥିଲେ ଏବଂ ନୈତିକ ଦାୟିତ୍ୱ ସ୍ୱୀକାର କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ୨୬ ତାରିଖରେ ଇସ୍ତଫା ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ମେ' ୨୦ ତାରିଖରେ ଏଆଇଏସ୍ଏଫ୍ ଓ ସିପିଆଇ ମିଳିତ ଭାବେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ବିକ୍ଷୋଭ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଉତରଦାୟୀ କରି ଇସ୍ତଫା ଦାବି କରିଥିଲେ। ଐତିହାସିକ ଛାତ୍ର ଆନ୍ଦୋଳନ ପ୍ରମାଣ କରିଛି ଯେ ମୋଦୀ ସରକାର ଅଭେଦ୍ୟ ନୁହେଁ, ଏବଂ ସମ୍ବିଧାନ ଓ ଗଣତନ୍ତ୍ର ଦେଶରେ ବଂଚି ରହିଛି। ଏଥିସହିତ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ପ୍ରକାଶ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ୍ଙ୍କ ଉକ୍ତି ଦି ଚାରିଟା ଅସରପାକୁ ଚିପି ଟାଙ୍ଗିଦେଲେ ସବୁ ବାଟକୁ ଆସିଯିବେ ଏବଂ ବିଜେପି ଏମ୍ପି ନିଶିକାନ୍ତ ଦୁବେଙ୍କ ଧମକପୂର୍ଣ୍ଣ ବୟାନ ସବୁ ଛାତ୍ରଛାତ୍ରୀଙ୍କ ରେକର୍ଡ଼ ରଖାଯାଇଛି ସମସ୍ତଙ୍କ ଭବିଷ୍ୟତ ନଷ୍ଟ କରିଦିଆଯିବ, ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଅଗଣତାନ୍ତ୍ରିକ। ପ୍ରକାଶଯୋଗ୍ୟ ଯେ ଏହି ଛାତ୍ର ଆନ୍ଦୋଳନକୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ସମର୍ଥନ କରିଛନ୍ତି, ଆସାମ ବିଜେପି ସରକାରଙ୍କ ଜଣେ ମନ୍ତ୍ରୀଙ୍କ ଝିଅ ମୋଦୀ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି। ଏଣୁ ମୋଦୀ ସରକାର ତାନାଶାହୀ ଶାସନ ଛାଡ଼ି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଆହ୍ୱାନ କରିଛନ୍ତି।
ଓଡ଼ିଶାରେ ପାଠ୍ୟପୁସ୍ତକ ବିଭ୍ରାଟ ଅତ୍ୟନ୍ତ ଚିନ୍ତାଜନକ। ଦେଶର ଶିଶୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେଉଛି। ଓଡ଼ିଆ ଅସ୍ମିତା ନାମରେ ଶାସନକୁ ଆସିଥିବା ବିଜେପି ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ପାଇଁ ସିପିଆଇ ଦାବି କରୁଛି। ଏହାସହିତ ଏନ୍ଟିଏ ବା ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସୀ ରଦ୍ଦ କରି ଦାୟିତ୍ୱ ସମ୍ପର୍ଣ୍ଣ ସରକାରୀ ଅଧିକାରୀଙ୍କ ଦ୍ୱାରା ପରୀକ୍ଷା କରିବା ପାଇଁ ଦାବି ହୋଇଛି। ଲଗାଣ ବର୍ଷା ସତ୍ୱେ ମହିଳା ମହାବିଦ୍ୟାଳୟ ପାଖ ଏନ୍ଏଚ୍ - ୨୬ ପାର୍ଶ୍ୱରେ ସିପିଆଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜିର ବିକ୍ଷୋଭରେ ଏଆଇଟିୟୁସି ସଭାପତି ଶ୍ରୀ ଯୁଧିଷ୍ଠିର ରାଉଳ, ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ, ସନ୍ୟାସୀ ମାଳୀ, ଭୂବନ କମାର, ନନ୍ଦ ହରିଜନ, ଭୀଷ୍ମ ନାୟକ ପ୍ରମୁଖ ଯୋଗଦେଇ ଏକ ଘଂଟା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ କହିଛନ୍ତି ଯେ ତୁରନ୍ତ ବହି ପରିବର୍ତନ ନକଲେ ବିଦ୍ୟାଳୟମାନଙ୍କରେ ଆନ୍ଦୋଳନ କରାଯିବ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି