ଝାରସୁଗୁଡ଼ାରେ ନୂତନ ପ୍ରେସ ଗୃହ ଉଦ୍ଘାଟଟିତ; ସାମ୍ବାଦିକଙ୍କ ପାଇଁ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ
Collector inagurate press room
Press room


ଝାରସୁଗୁଡ଼ା, ୨୭, ଜୁଲାଇ (ହି.ସ.) - ଜିଲ୍ଲାରେ ଗଣମାଧ୍ୟମ କ୍ଷେତ୍ର ପାଇଁ ଏକ ଐତିହାସିକ ଓ ଆନନ୍ଦଦାୟକ ଅଧ୍ୟାୟର ଆଜି ଶୁଭାରମ୍ଭ ହୋଇଯାଇଅଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ଆଧୁନିକ ପ୍ରେସ ଗୃହ ସୋମବାର ଶୁଭ ଉଦ୍ଘାଟନ କରାଯାଇଛି। ଏହା ସାମ୍ବାଦିକମାନଙ୍କ ଦୀର୍ଘଦିନର ଆଶା ଓ ଆବଶ୍ୟକତାକୁ ପୂରଣ କରିବା ସହିତ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସୁସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୈଦିକ ରୀତିନୀତିରେ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲାପାଳ ଫିତା କାଟି ନୂତନ ପ୍ରେସ ଗୃହର ଔପଚାରିକ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ପରେ ସେ ପ୍ରେସ ଗୃହର ବିଭିନ୍ନ ସୁବିଧା ପରିଦର୍ଶନ କରି ସାମ୍ବାଦିକମାନଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଜନସମ୍ପର୍କ ଅଧିକାରୀ ଅଜୟ ଜେନା ଏବଂ ବରିଷ୍ଠ ସାମ୍ବାଦିକ ଜୀବନ ମହାନ୍ତି ଓ ଉପନ ସାହୁଙ୍କୁ ସେମାନଙ୍କ ଦୀର୍ଘଦିନର ସାମ୍ବାଦିକତା ଓ ସମାଜ ପ୍ରତି ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ବିଶେଷ ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଏକ ସଶକ୍ତ ସ୍ତମ୍ଭ। ସମାଜକୁ ସଠିକ୍, ନିରପେକ୍ଷ ଓ ଦାୟିତ୍ୱବୋଧ ସହିତ ସୂଚନା ପହଂଚାଇବାରେ ସାମ୍ବାଦିକମାନଙ୍କ ଭୂମିକା ଅତୁଳନୀୟ। ନୂତନ ପ୍ରେସ ଗୃହ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ, ପ୍ରସ୍ତୁତି, ସମନ୍ୱୟ ଏବଂ ପ୍ରଶାସନିକ କାର୍ଯ୍ୟକ୍ରମର କଭରେଜ୍ରେ ଅଧିକ ସୁବିଧା ଯୋଗାଇବ। ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ସୂଚନାର ସେତୁ ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଉପଯୋଗୀ ବୋଲି ସେ କହିଥିଲେ। ନବନିର୍ମିତ ପ୍ରେସ ଗୃହରେ ସାମ୍ବାଦିକମାନଙ୍କ ବସିବା, ସମ୍ବାଦ ପ୍ରସ୍ତୁତି, ବୈଠକ, କାର୍ଯ୍ୟ ଏବଂ ଅନ୍ୟାନ୍ୟ ବୃତିଗତ କାର୍ଯ୍ୟ ସୁବିଧାଜନକ ଭାବେ ସମ୍ପାଦନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ଫଳରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସୁଥିବା ସାମ୍ବାଦିକମାନେ ଅଧିକ ସୁବିଧାଜନକ ପରିବେଶରେ କାର୍ଯ୍ୟ କରିପାରିବେ।

ଦୀର୍ଘ ଦିନ ଧରି ସାମ୍ବାଦିକମାନଙ୍କ ପକ୍ଷରୁ ପୃଥକ ପ୍ରେସ ଗୃହର ଦାବି ଉଠିଆସୁଥିଲା। ଜିଲ୍ଲା ପ୍ରଶାସନ ସେହି ଆବଶ୍ୟକତାକୁ ଗୁରୁତ୍ୱର ସହ ବିଚାର କରି ଏହାକୁ ବାସ୍ତବ ରୂପ ଦେଇଥିବାରୁ ସାମ୍ବାଦିକ ସମାଜ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସେମାନଙ୍କ ମତରେ, ଏହି ପ୍ରେସ ଗୃହ କେବଳ ଏକ ଭବନ ନୁହେଁ, ବରଂ ଗଣମାଧ୍ୟମର ବୃତିଗତ କାର୍ଯ୍ୟକଳାପକୁ ଆହୁରି ଗତିଶୀଳ କରିବାର ଏକ ସକାରାତ୍ମକ ପ୍ଲାଟଫର୍ମ।

ଉଦ୍ଘାଟନୀ ସମାରୋହରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାନ୍ତି, ବସନ୍ତ ଜେନା, କାର୍ଯ୍ୟକାରୀ ସଭାପତି ପ୍ୟାରେଲାଲ ଶ୍ରୀବାସ୍ତବ, ସାଧାରଣ ସମ୍ପାଦକ ଭରତ ପାତ୍ର, ସମ୍ପାଦକ ପ୍ରୀତମ ପଣ୍ଡା, ରବି ନାରାୟଣ ସାହୁ, ଅନୀଲ ଅଗ୍ରୱାଲ, ଉମାକାନ୍ତ ପଣ୍ଡା, ରାଜୀବ ସିଂ, ମହେନ୍ଦ୍ର ସାଏ, ଉପନ ସାହୁ, ତ୍ରିଲୋଚନ ଦାସ, ବିଜୟ ସାହୁ, ଅନିଲ ମହାରଣା, ଜିତେନ୍ଦ୍ର ସାହୁ, ଦେବୁନ ବକ୍ସି, ବିକ୍ରମ ମହାପାତ୍ର, ଡିଲେଶ୍ୱର ବାଗଙ୍କ ସମେତ ବହୁ ବରିଷ୍ଠ ଓ ଯୁବ ସାମ୍ବାଦିକ ଉପସ୍ଥିତ ଥିଲେ। ଏହାସହ ବବ୍ଲି ବେସନ, ନିରଞ୍ଜନ ପଟେଲଙ୍କ ସମେତ ଜିଲ୍ଲାର ବହୁ ପ୍ରିନଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ୍ ମିଡିଆ ପ୍ରତିନିଧି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

ନୂତନ ପ୍ରେସ ଗୃହର ଉଦ୍ଘାଟନ ଝାରସୁଗୁଡ଼ା ଜିଲ୍ଲାରେ ଗଣମାଧ୍ୟମର ବିକାଶ, ସାମ୍ବାଦିକଙ୍କ ବୃତିଗତ ପରିବେଶର ଉନ୍ନତି ଏବଂ ପ୍ରଶାସନ–ଗଣମାଧ୍ୟମ ମଧ୍ୟରେ ସୁଦୃଢ଼ ସମନ୍ୱୟର ଏକ ନୂତନ ଅଧ୍ୟାୟ ଭାବେ ବିବେଚିତ ହେଉଛି। ସମସ୍ତଙ୍କ ଆଶା, ଏହି ପଦକ୍ଷେପ ଭବିଷ୍ୟତରେ ଜନହିତକର ସାମ୍ବାଦିକତାକୁ ଆହୁରି ସଶକ୍ତ କରିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande