
ଝାରସୁଗୁଡ଼ା, ୨୭ ଜୁଲାଇ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ସିରିଆପାଲି ହାଇସ୍କୁଲରେ ସୋମବାର ଏକ ବ୍ୟତିକ୍ରମୀ ଓ ପ୍ରେରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ନିଜେ ଶ୍ରେଣୀଗୃହରେ ପ୍ରବେଶ କରି ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଭାଷା ପାଠ ପଢ଼ାଇଥିଲେ। ଜିଲ୍ଲାପାଳଙ୍କୁ ନିଜ ସମ୍ମୁଖରେ ଶିକ୍ଷକ ଭୂମିକାରେ ପାଇ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇପଡ଼ିଥିଲେ।
ଶ୍ରେଣୀଗୃହରେ ସେ ଜଣେ ଦକ୍ଷ ଶିକ୍ଷକଙ୍କ ଭଳି ସଂସ୍କୃତ ଭାଷାର ମହତ୍ୱ, ଏହାର ପରମ୍ପରା ଏବଂ ଭାରତୀୟ ସଂସ୍କୃତି ସହ ଏହାର ନିବିଡ଼ ସମ୍ପର୍କ ବିଷୟରେ ସରଳ ଓ ସହଜ ଭାଷାରେ ବୁଝାଇଥିଲେ। ପାଠଦାନ ସମୟରେ ସେ ଛାତ୍ରଛାତ୍ରୀଙ୍କ ସହ ପ୍ରଶ୍ନୋତର କରି ସେମାନଙ୍କର ଜିଜ୍ଞାସା ଦୂର କରିବା ସହ ଅଧ୍ୟୟନ ପ୍ରତି ଅଧିକ ଆଗ୍ରହୀ ହେବାକୁ ଉତ୍ସାହିତ କରିଥିଲେ।
କେବଳ ଭାଷା ଶିକ୍ଷାରେ ସୀମିତ ନ ରହି ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଜୀବନରେ ନୈତିକ ମୂଲ୍ୟବୋଧ, ଶୃଙ୍ଖଳା, ସତ୍ୟନିଷ୍ଠା, ପରିଶ୍ରମ ଏବଂ ଉତମ ଚରିତ୍ର ଗଠନର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ। ସେ କହିଥିଲେ ଯେ, ଭଲ ଶିକ୍ଷା ସହିତ ଉତମ ଚରିତ୍ର ହିଁ ଜଣେ ଛାତ୍ରକୁ ଜୀବନରେ ସଫଳତାର ଶିଖରକୁ ପହଂଚାଇଥାଏ।
ଜିଲ୍ଲାପାଳଙ୍କ ଏହି ଅଭିନବ ପଦକ୍ଷେପ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ପ୍ରଶଂସା ସାଉଁଟିଛି। ଛାତ୍ରଛାତ୍ରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ଠାରୁ ସିଧାସଳଖ ପାଠ ଗ୍ରହଣ କରି ନିଜକୁ ଗୌରବାନ୍ୱିତ ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଏପରି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କୃତ ଭାଷା ପ୍ରତି ଆଗ୍ରହ ବଢ଼ାଇବା ସହ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ ବୋଲି ଶିକ୍ଷାବିତ୍ ମହଳରେ ମତ ପ୍ରକାଶ ପାଇଛି।
ଜିଲ୍ଲାପାଳଙ୍କ ଏଭଳି ବ୍ୟକ୍ତିଗତ ଉଦ୍ୟମ ଶିକ୍ଷାକ୍ଷେତ୍ରରେ ପ୍ରଶାସନର ସକ୍ରିୟ ଭୂମିକାର ଏକ ସକାରାତ୍ମକ ଉଦାହରଣ ଭାବେ ବିବେଚିତ ହେଉଛି। ଏହା ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ, ପ୍ରେରଣା ଓ ଶିକ୍ଷା ପ୍ରତି ଆନ୍ତରିକ ଆଗ୍ରହ ସୃଷ୍ଟି କରିବାରେ ଏକ ସ୍ମରଣୀୟ ପଦକ୍ଷେପ ବୋଲି ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ