କୋଲାବିରା ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ଓ କାର୍ଯ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ; ଶିକ୍ଷାର ଗୁଣାତ୍ମକ ମାନ ଏବଂ ଭିତ୍ତିଭୂମିର ସମୀକ୍ଷା
Collector visit and review
Collector visit


ଝାରସୁଗୁଡ଼ା, ୨୭ ଜୁଲାଇ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ କୋଲାବିରା ବ୍ଲକ୍ ର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ପ୍ରଥମେ ସମାସିଂହା ସ୍ଥିତ କେ.ଜି. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ମଧ୍ୟାହ୍ନ ଭୋଜନ ରନ୍ଧନ ଗୃହ ଏବଂ ଖାଇବା ସ୍ଥାନ ପାଇଁ ଜାଗା ଦେଖିବା ସହ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ତୁରନ୍ତ ଶେଷ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବିଦ୍ୟାଳୟରେ ଏକ ବହୁମୁଖୀ ଗୃହ ନିର୍ମାଣ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ କହିଥିଲେ। ସମସ୍ତ ଅଧିକାରୀ ନିୟମିତ କ୍ଷେତ୍ର ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଏହାପରେ ଜିଲ୍ଲାପାଳ କୋଲାବିରା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ଆୟୋଜିତ ଗଣେଶ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। କର୍ମଚାରୀଙ୍କ ସହ ଆଲୋଚନା କରି କାର୍ଯ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ, 'ଗୋଦାବରୀଶ ଶିକ୍ଷା ସଦନ' ପାଇଁ ଜମି ଚିହ୍ନଟ ପ୍ରକ୍ରିୟାର ଅଗ୍ରଗତି ଏବଂ ମାଟ୍ରିକ ପରୀକ୍ଷାରେ ଅଧିକରୁ ଅଧିକ ଏ୧ ଗ୍ରେଡ୍ ସଫଳତା ପାଇଁ ଯୋଜନା କରିବାକୁ ପରାମର୍ଶ ଦେଇଥିଲେ। ତା' ପରେ ଏନ୍.ଏଲ୍. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ 'ପ୍ରଧାନମନ୍ତ୍ରୀ ପୋଷଣ' ଯୋଜନା ଅଧୀନରେ ଆୟୋଜିତ ତିଥି ଭୋଜନରେ ଅଂଶଗ୍ରହଣ କରିଥିଲେ। ମଧ୍ୟାହ୍ନ ଭୋଜନ ଗ୍ରହଣ କରିବା ପୂର୍ବରୁ 'ଭୋଜନ ମନ୍ତ୍ର' ପାଠ କରିଥିଲେ। ଏହାସହ ଶ୍ରେଣୀଗୃହକୁ ଯାଇ ଗଣିତ ଶିକ୍ଷାଦାନର ମାନ ଓ ପିଲାମାନଙ୍କର ଶୈକ୍ଷିକ ପ୍ରଗତି ଅନୁଧ୍ୟାନ କରିଥିଲେ। ବିଦ୍ୟାଳୟ କମିଟି ଦ୍ୱାରା ପ୍ରସ୍ତାବିତ ଶୌଚାଳୟ, ସାଇକେଲ ଷ୍ଟାଣ୍ଡ ଏବଂ ବହୁମୁଖୀ ଗୃହ ନିର୍ମାଣ ଦାବିକୁ ଗ୍ରହଣ କରି ଏହାପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଶେଷରେ ସିରିଆପାଲି ହାଇସ୍କୁଲ ପରିଦର୍ଶନ କରି ଜିଲ୍ଲାପାଳ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ସଂସ୍କୃତ ଭାଷାରେ ବାର୍ତ୍ତାଳାପ କରି ସେମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ। ଶ୍ରେଣୀଗୃହ ବୁଲି ଦେଖିବା ସହ ପରୀକ୍ଷାରେ ବିଦ୍ୟାଳୟର ସଫଳତା ହାର ବୃଦ୍ଧି ପାଇଁ ଶିକ୍ଷକମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, କୋଲାବିରା ବ୍ଲକ୍ ଶିକ୍ଷାଧିକାରୀ ପ୍ରକାଶ ସାହୁ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande