
ସମ୍ବଲପୁର, ୨୭ ଜୁଲାଇ (ହି.ସ.)- ସମ୍ବଲପୁର ଜିଲ୍ଲା ପୋଲିସ ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ନକଲି କଫ୍ ସିରପ ଏବଂ ଓଏସ୍ ମଦ ପାଉଚ୍ ବିକ୍ରି ବିରୋଧରେ ବଡ଼ ସଫଳତା ହାସଲ କରିଛି। ବୁର୍ଲା ଥାନାରେ ରୁଜ୍ଜୁ ହୋଇଥିବା ମାମଲା ୩୨୭/୨୬ ଅନୁଯାୟୀ,
ଗତକାଲି,
ଜୁଲାଇ ୨୬ ତାରିଖ ସନ୍ଧ୍ୟା ୭ଟା ବେଳେ ବୁର୍ଲା ଥାନାର ଏସ୍ଆଇ ସଞ୍ଜୟ କୁମାର ସାହୁ ଓ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତି ନକଲି କଫ୍ ସିରପ ଓ ଓଏସ୍ ମଦ ପାଉଚ୍ ବିକ୍ରି କରୁଥିବା ନେଇ ବିଶେଷ ସୂଚନା ପାଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରିବା ସହ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିଥିଲେ।
ଗିରଫ ଅଭିଯୁକ୍ତ ଜଣକ ବୁର୍ଲା ପଠାଣବନ୍ଧ ସମଲେଶ୍ୱରୀ ନର୍ସିଂହୋମ୍ ନିକଟ ସ୍ବର୍ଗତ ଚିତ୍ତରଞ୍ଜନ ମହାନନ୍ଦର ୪୦ ବର୍ଷିୟ ପୁଅ ବାବୁଲୁ ମହାନନ୍ଦ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ନିକଟରୁ ପୋଲିସ ପ୍ରାୟ ୭୫୦ ମିଲିଲିଟର ନକଲି କଫ୍ ସିରପ, ୧୮ଟି ସିଲ୍ ପ୍ୟାକ୍ ୱିନ୍ସେରେକ୍ସ କଫ୍ ସିରପ ବୋତଲ, ୩ଟି ଖୋଲା ବୋତଲ, ୫ଟି ଖାଲି ବୋତଲ, ସୋପୋର–୧୦ ଟାବଲେଟର ଗୋଟିଏ ଷ୍ଟ୍ରିପ୍, ୨୩ଟି ‘ବାର୍ଡ ଛାପ’ ଓଏସ୍ ମଦ ପାଉଚ୍ ଏବଂ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ୍ ଜବତ କରି ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ