
କେନ୍ଦୁଝର, ୨୭ ଜୁଲାଇ (ହି.ସ.) - ଆଧ୍ୟାତ୍ମିକବାଦୀ କବି ସନ୍ଥ ଶିରୋମଣି ଗୁରୁ ରବି ଦାସ ୧୫ରୁ ୧୬ତମ ଶତାଦ୍ଦୀର ଜାତିଭେଦ ଭାବ ମୁକ୍ତ ସମାଜର ପ୍ରତୀକ ଥିଲେ । ଆଧ୍ୟାତ୍ମିକ ଏବଂ ଭକ୍ତି ମାର୍ଗରେ ଚାଲିବା ସମୟରେ ସନ୍ଥ ରବି ଦାସ କର୍ମ ଉପରେ ଗୁରୁତ୍ୱ ଦେଉଥିଲେ । ସେ ଜଣେ ମହାନ ସନ୍ଥ ଓ କବି ହେବା ସହ ସମାଜ ସଂସ୍କାରକ ଏବଂ ଭଗବାନଙ୍କ ଅନୁଗାମୀ ଥିଲେ । ସମାଜରୁ ଅସ୍ପୁଶ୍ୟତା, ଉଚ୍ଚନୀଚ୍ଚ ଭେଦଭାବ, ଛୁଆଁ, ଅଛୁଆଁ ଆଦି ଦୂର କରିବା ପାଇଁ ସେ ନିରନ୍ତର ଉଦ୍ୟମ କରୁଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜୟନ୍ତୀ ବର୍ଷ ଆସନ୍ତା ୨୯ ଜୁଲାଇ ୨୦୨୬ (ଗୁରୁ ପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ ୨୦୨୭ (ଶ୍ରୀ ଗୁରୁ ରବିଦାସ ମହାରାଜ ଜୟନ୍ତୀ) ପର୍ଯ୍ୟନ୍ତ ଶ୍ରୀ ଗୁରୁ ରବିଦାସ ମହାରାଜ ସମରସ ସଂକଳ୍ପ ଅଭିଯାନ’ ଦେଶବ୍ୟାପୀ ପାଳନ କରାଯିବ ।
ଏନେଇ ଆଜି କେନ୍ଦୁଝର ଜିଲ୍ଲା କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସନ୍ଥ ରବି ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଭାବନା ଓ ସେ ଦେଇଥିବା ମାର୍ଗଦର୍ଶନ କିପରିଭାବେ ସମସ୍ତଙ୍କ ପାଖରେ ପହଂଚିବ ସେନେଇ କର୍ମଶାଳାରେ ରୂପରେଖ ପ୍ରସ୍ତୁତ ହେବା ସହ ବିସ୍ତୃତ ଆଲୋଚନା ହୋଇଥିଲା । ଗୁରୁ ରବିଦାସଜୀଙ୍କ ଜନ୍ମସ୍ଥଳୀ କାଶୀରୁ ଏହି ଅଭିଯାନର ଶୁଭାରମ୍ଭ ହେବ । ତାଙ୍କ ଜନ୍ମସ୍ଥଳୀରୁ କଳସରେ ମାଟି ଆଣି ଦେଶର ବିଭିନ୍ନ ରାଜ୍ୟକୁ ନିଆଯିବ । ସେହି ମାଟିକୁ ବିଭିନ୍ନ କଳସରେ ଭରି ରାଜ୍ୟର ସବୁ ମଣ୍ଡଳକୁ ନିଆଯିବ । ଏହି ଅଭିଯାନ ଅଧୀନରେ ବିଭିନ୍ନ ଧାର୍ମିକ, ସାମାଜିକ, ସାଂସ୍କୃତିକ ଏବଂ ଜନସମ୍ପର୍କମୂଳକ କାର୍ଯ୍ୟକ୍ରମ କରାଯିବ । ଏଥିରେ ବହୁ ସଂଖ୍ୟାରେ ସାଧୁ ସନ୍ଥମାନେ ସାମିଲ ହେବେ । ଶ୍ରୀ ଗୁରୁ ରବିଦାସ ମହାରାଜଙ୍କ ଜୀବନ, ଦର୍ଶନ, ସମାନତା, ଭକ୍ତି, ସେବା, ସାମାଜିକ ନ୍ୟାୟ ଓ ମାନବତାର ବାର୍ତାକୁ ସମଗ୍ର ଦେଶରେ ବ୍ୟାପକ ଭାବେ ପ୍ରଚାର କରାଯିବ । ସମାଜରେ ତଳ ସେପାନରେ ରହୁଥିବା ବ୍ୟକ୍ତିଙ୍କ ପାଖରେ ବିଜେପିର କାର୍ଯ୍ୟକର୍ତାମାନେ କିପରି ପଂହଚିବେ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ତେଲକୋଇ ବିଧାୟକ ଡା ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ଜିଲ୍ଲା କମିଟିର ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଅଗନୁ ମହାନ୍ତ, ଜିଲ୍ଲା ଟୋଲିର ସଦସ୍ୟ ତଥା ଜିଲ୍ଲା ଉପସଭାନେତ୍ରୀ ସୋମବାରୀ ମୁଣ୍ଡ, ଜିଲ୍ଲା ଟୋଲିର ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ କୁମାର ମହାନ୍ତ,ଜିଲ୍ଲା ଟୋଲିର ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ଦୀପକ ଜେନା,ଜିଲ୍ଲା ଟୋଲିର ସଦସ୍ୟ ତଥା ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି ଶାନ୍ତନୁ ସେଠୀ ଓ ଅନୁସୂଚିତ ମୋର୍ଚ୍ଚା ଜିଲ୍ଲା ପଦାଧିକାରୀ ତଥା ଟୋଲିର ସଦସ୍ୟମାନେ ଯୋଗଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଂଚ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA