
ନୂଆପଡ଼ା, ୨୭ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦି ଗ୍ରାମ ପଞ୍ଚାୟତର ଜୁନାନି ଗ୍ରାମ। ଗ୍ରାମର ଗୁରୁଦେବ ପଡ଼ା। ଏହି ପଡ଼ାରେ ପଚାଶ ପରିବାର ରହନ୍ତି। ପଡ଼ାବାସୀଙ୍କ ମୁଖ୍ୟ ସମସ୍ୟା ହେଲା ପଡ଼ାକୁ ଏପର୍ଯ୍ୟନ୍ତ ରାସ୍ତା ଖଣ୍ଡେ ନାହିଁ। ଲୋକେ କାଦୁଅ ପଙ୍କ ରାସ୍ତାରେ ଯିବା ଆସିବା କରନ୍ତି। ବର୍ଷା ଦିନରେ ଲୋକଙ୍କ ଦୁଃଖ କହିଲେ ନସରେ। ଆଣ୍ଠୁଏ କାଦୁଅରେ ଲୋକଙ୍କୁ ଯିବାକୁ ପଡ଼େ। ଫଳରେ ପୁଅଝିଅ ମାନେ କାଦୁଅ ରାସ୍ତାରେ ସ୍କୁଲ ଯିବାକୁ ବାଧ୍ୟ ହୁଅନ୍ତି । ମହିଳା ମାନେ ପାଣି ଆଣିବାରେ ନାହିଁ ନଥିବା ଅସୁବିଧା ଭୋଗ କରନ୍ତି। ବୃଦ୍ଧ ବୃଦ୍ଧା ଚାଲିବା ସମୟରେ ପଡ଼ି ଯାଆନ୍ତି ବୋଲି କହନ୍ତି। ଚାରି ଚକିଆ କଥା ଛାଡ଼ନ୍ତୁ ସାଇକେଲ କିମ୍ବା ବାଇକ୍ ମଧ୍ୟ ରାସ୍ତାରେ ଯାଇପାରେ ନାହିଁ। ବର୍ଷା ମାସରେ ଲୋକଙ୍କ ସମସ୍ୟା ଦ୍ଵିଗୁଣିତ ହୋଇଯାଏ। କେହି ରୋଗରେ ପଡିଲେ କିମ୍ବା ପ୍ରସବ କଷ୍ଟ ପାଇଲେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଖଟିଆରେ ନେବାକୁ ପଡେ ବୋଲି ପଡ଼ା ବାସୀ କହନ୍ତି। ସରକାର ସବୁ ଗାଆଁକୁ ଭଲ ରାସ୍ତା ଦେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଗ୍ରାମ ପଞ୍ଚାୟତରେ ଏଥିପାଇଁ ପାଣ୍ଠି ବ୍ୟବସ୍ଥା ରହିଛି। କିନ୍ତୁ, ଏହି ପଡ଼ାକୁ ଏପର୍ଯ୍ୟନ୍ତ ରାସ୍ତା ଖଣ୍ଡେ ନାହିଁ। ସ୍ଥାନୀୟ ସରପଞ୍ଚ ମୀନା କୁମାରୀ ଜାଲଙ୍କ ପାଖରେ ଯେତେ ନେହୁରା ହେଲେ ମଧ୍ୟ ସେ କର୍ଣ୍ଣପାତ କରୁ ନାହାନ୍ତି ବୋଲି ଲୋକଙ୍କ ଅଭିଯୋଗ। ନିର୍ବାଚନରେ ଜିତିଲେ ସେ ରାସ୍ତା କରିଦେବେ ବୋଲି କହିଥିଲେ, ଏହି ଆଶାରେ ଗୁରୁଦେବ ପଡ଼ା ବାସୀ ତାଙ୍କୁ ଭୋଟ ଦେଇଥିଲେ। କିନ୍ତୁ ବାହାଘର ପରେ ବେଦୀ ମୁହଁ ପୋଡ଼ା ନ୍ୟାୟରେ ସରପଞ୍ଚ ଆଉ ପଡ଼ା ବାସୀଙ୍କୁ ଧରା ଛୁଆଁ ଦେଉ ନାହାନ୍ତି। ଅତିଶୀଘ୍ର ରାସ୍ତା ନିର୍ମାଣ କରା ନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ ।
ଏନେଇ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦଙ୍କୁ ପଚାରିବାରୁ ସେ ଏହି ବିଷୟରେ ଜାଣି ନଥିଲେ ଓ ଅତିଶୀଘ୍ର ରାସ୍ତା ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ