
ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.)- ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ସଂଲଗ୍ନ ଅଂଚଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇ ଆଜି ସକାଳ ୫ଟା ୩୦ ସମୟରେ ପଶ୍ଚିମବଙ୍ଗ-ଉତର ଓଡ଼ିଶା ଉପକୂଳ ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଏହା ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୩ କି.ମି. ବେଗରେ ଉତର ଦିଗକୁ ବହୁତ ଧିରେ ଗତି କରିଥିଲା ଏବଂ ଆଜି ସକାଳ ୮ଟା ୩୦ ରେ ସେହି ସ୍ଥାନରେ, ୨୧.୪ ଡ଼ିଗ୍ରୀ ଉତର ଅକ୍ଷାଂଶ ଏବଂ ୮୮.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଅବସ୍ଥିତ ଅଛି । ଏହା ସାଗର ଦ୍ୱୀପ (ପଶ୍ଚିମବଙ୍ଗ)ରୁ ପ୍ରାୟ ୩୦ କି.ମି. ଦକ୍ଷିଣରେ, ଦିଘା(ପଶ୍ଚିମବଙ୍ଗ)ରୁ ୭୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ, ଡାଇମଣ୍ଡ ହାର୍ବର (ପଶ୍ଚିମବଙ୍ଗ)ରୁ ୯୦ କି.ମି. ଦକ୍ଷିଣରେ, କ୍ୟାନିଂ (ପଶ୍ଚିମବଙ୍ଗ)ରୁ ୧୧୦ କି.ମି. ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ଏବଂ ବାଲେଶ୍ୱର (ଓଡ଼ିଶା)ରୁ ୧୨୦ କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ ଅବସ୍ଥିତ ।
ଏହା ପ୍ରାୟ ଉତର-ଉତରପଶ୍ଚିମ ଦିଗକୁ ଗତି କରି ଆଜି ପ୍ରାୟ ଅପରାହ୍ନରେ ବାଲେଶ୍ୱର ଏବଂ କ୍ୟାନିଂ ମଧ୍ୟରେ ପଶ୍ଚିମବଙ୍ଗ-ଉତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ