
ଭୁବନେଶ୍ୱର , ୨୭ ଜୁଲାଇ (ହି.ସ.) - ଓଡ଼ିଶା ଜନତା କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟ ଠାରେ ସୋମବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲାର ଟାଣୁଆ ଯୁବନେତା ତଥା ପୂର୍ବତନ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ସଭାପତି ଅରିଜିତ ଘୋଷାଲ ନିଜର ଶତାଧିକ ସମର୍ଥକଙ୍କ ସହ ଓଜେସିରେ ବିଧିବଦ୍ଧ ଭାବରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଉପସ୍ଥିତ ରହି ଶ୍ରୀ ଘୋଷାଲ ଏବଂ ତାଙ୍କର ସମର୍ଥକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିବା ସହିତ ତାଙ୍କ ଭଳି ଯୁବ ନେତୃତ୍ୱଙ୍କ ଯୋଗଦାନ ବାଲେଶ୍ୱର ଜିଲ୍ଲାରେ ଓଜେସିକୁ ତୃଣମୂଳ ସ୍ତରରୁ ମଜବୁତ କରିବ ବୋଲି ଆଶା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଶ୍ରୀ ଘୋଷାଲ ଜଣେ ଲଢ଼ୁଆ ଯୁବନେତା ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ସ୍ୱର ଉତୋଳନ କରିବା ସହିତ ଅତୀତରେ ଭୁବନେଶ୍ୱରକୁ ପଦଯାତ୍ରା ମାଧ୍ୟମରେ ଆସି ସରକାରଙ୍କ ପାଖରେ ଜନତାଙ୍କ ଦାବି ଉପସ୍ଥାପନ କରିଥିଲେ । ଏଭଳି ଯୁବ ନେତୃତ୍ୱଙ୍କୁ ଦଳରେ ପାଇ ଆମେ ଖୁସି ଏବଂ ଆଗାମୀ ଦିନରେ ତାଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲାରେ ସଂଗଠନ ଅଧିକ ମଜବୁତ ହେବ ବୋଲି ଆଶାବାଦୀ।
ଶ୍ରୀ ଘୋଷାଲ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରିବା ଅବସରରେ କହିଥିଲେ ଯେ, ଓଜେସିର ବିଚାରଧାରାରେ ଆକୃଷ୍ଟ ହୋଇ ଏବଂ ସଭାପତି ଶ୍ରୀ ମୋକିମଙ୍କ ନେତୃତ୍ୱ ପ୍ରତି ଅନୁପ୍ରାଣିତ ହୋଇ ନୂଆ ଆଞ୍ଚଳିକ ଦଳରେ ଯୋଗଦାନ କରିଛନ୍ତି। ନିକଟ ଭବିଷ୍ୟତରେ ବାଲେଶ୍ୱର ଜିଲ୍ଲାର କୋଣଅନୁକୋଣରୁ ହଜାର ହଜାର ସାଧାରଣ ଜନତା ଓ କର୍ମୀ ଓଜେସିରେ ଯୋଗଦାନ କରିବା ସହିତ ସଭାପତିଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲାର ପୌରନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା