
ଝାରସୁଗୁଡ଼ା, ୨୭ ଜୁଲାଇ (ହି.ସ.)- କୋଲାବିରା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ଜନସାଧାରଣ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟାର ସିଧାସଳଖ ଶୁଣାଣି କରିବା ସହ ତାହାର ଆଶୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୧ଟି ବ୍ୟକ୍ତିଗତ ଅଭିଯୋଗ, ୪ଟି ଗୋଷ୍ଠୀଗତ ଅଭିଯୋଗ ଏବଂ ୧ଟି ରେଡକ୍ରସ୍ ସହାୟତା ପାଇଁ ଆବେଦନ ଶୁଣାଣି ପାଇଁ ଆସିଥିଲା। ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୨ଟି ସମସ୍ୟାର ଘଟଣାସ୍ଥଳରେ ହିଁ ତତ୍କାଳ ସମାଧାନ କରାଯାଇଥିଲା। ଏହା ସହିତ ରେଡକ୍ରସ୍ ପାଣ୍ଠିରୁ ଜଣେ ଅସହାୟ ଆବେଦନକାରୀଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଶୁଣାଣି ସମୟରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମିଜମା ବିବାଦ, ଘର ଭାଙ୍ଗିବା/କ୍ଷତିପୂରଣ ଦାବି, ଜବରଦଖଲ ଏବଂ ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ସମ୍ପର୍କରେ ଜନସାଧାରଣ ଅଭିଯୋଗ ଆଗତ କରିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗର ବିଚାର କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, କୋଲାବିରା ତହସିଲଦାର, ଏବଂ ଅଭିଯୋଗ ଶୁଣାଣି ବିଭାଗର ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ସବରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ