
ଜୟପୁର, ୨୭ ଜୁଲାଇ (ହି.ସ.)- ଜୟପୁରରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଅବସରରେ ଜୟପୁର ସାମନ୍ତରା ସାହିର ଜ୍ୟୋତି ରଞ୍ଜନ ପୁଜାରୀ ଓ ତାଙ୍କ ଭାଇ ବାବୁଲି ପୁଜାରୀ ବିଭ୍ରାଟ ସୃଷ୍ଟି କରିବା ସହ ଅଧାବାଟରେ ରଥ ଅଟକାଇ ଦେଇଥିଲେ । ଫଳରେ ଶ୍ରୀଜିଉଙ୍କ ହରିଶୟନ ହୋଇପାରି ନଥିଲା । ବଡ ଏକାଦଶିରେ ହରିଶୟନ କରନ୍ତି ଏହି ନୀତି ହୋଇ ପାରିନଥିଲା। ଏମିତିକି ଶ୍ରୀଜିଉ ଗୋଟେ ଦିନ ଭୋକ ଉପବାସରେ ରଥରେ ରହିଥିଲେ । ଏହା ଘଟଣା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଥିଲା । ଏହାକୁ ଦେବୋତ୍ତର ବିଭାଗ ଗୁରୁତ୍ଵର ସହ ନେଇ ୧୧୦/୨୬-୨୭ ରେ ଆଜି ଜୟପୁର ସାମନ୍ତରା ସାହିର ଜ୍ୟୋତି ରଞ୍ଜନ ପୁଜାରୀ ଓ ତାଙ୍କ ଭାଇ ବାବୁଲି ପୁଜାରୀଙ୍କୁ ନୋଟିସ ଜାରି କରାଯାଇଛି ।
ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ରଥଯାତ୍ରା ୨୦୨୬ ବାହୁଡା ଯାତ୍ରା ସମୟରେ ଦେବୋତ୍ତର ବିଭାଗ ତରଫରୁ ହାଟପାରିଆ ଏବଂ ରଥ କାରିଗର ମାନଙ୍କୁ ବ୍ରେକ ଦେବା ଦାୟିତ୍ୱ ଦିଆଯାଇଥିବା ସତ୍ତ୍ୱେ ଜୟପୁର ସାମନ୍ତରା ସାହିର ଜ୍ୟୋତି ରଞ୍ଜନ ପୁଜାରୀ ଓ ତାଙ୍କ ଭାଇ ବାବୁଲି ପୁଜାରୀ ଅନାବଶ୍ୟକ ଭାବରେ ରଥ ବ୍ରେକ ଦେବାରେ ହସ୍ତକ୍ଷେପ ଏବଂ ହାଟ ପାରିଆ ମାନଙ୍କୁ ଭ୍ରମିତ ନିର୍ଦ୍ଦେଶ ଦେବା ଯୋଗୁଁ ରଥର ମୋଡ ପରିବର୍ତନ ହେବା ଏବଂ ରଥ ଟାଣିବାରେ ବିଭ୍ରାଟ ସୃଷ୍ଟି ହେବା ସହ ରଥ ଅଟକି ଯାଇଥିଲା । ଏହା ଭକ୍ତ ମାନଙ୍କର ଭାଗାବେଗକୁ ଆଘାତ ଦେଇଥିବା ପରିଲକ୍ଷିତ ହୋଇଥିଲା । ତେଣୁ ଭବିଷ୍ୟତରେ ରଥଟଣା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବା ନମନ୍ତେ ଏହି ଦୁଇ ଭାଇଙ୍କୁ ୫ ବର୍ଷ ପାଇଁ ରଥ ଟଣା କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ବାରଣ କରାଯାଇଥିବା ନେଇ ଜୟପୁର ତହସିଲଦାର ତଥା ଦେବୋତ୍ତର ଅଧିକାରି ସବ୍ୟସାଚି ଜେନା ଦସ୍ତଖତରେ ନୋଟିସ ଜାରି କରାଯାଇଛି । ଏହି ନୋଟିସ ର ନକଲ ୨ ଭାଇଙ୍କ ସହ ସଭାପତି ଦେବୋତ୍ତର ଉପଦେଷ୍ଟା କମଟି, ଜୟପୁର ଉପ ଜିଲାପାଳ, ଟାଉନ ଥାନା ଅଧିକାରିଙ୍କୁ ପ୍ରଦାନ କରାଯାଇଛି । ଜୟପୁରର ଆଡ଼ପ ମଣ୍ଡପ କୁହାଯାଉଥିବା ବାଙ୍କମଠରୁ ତିନି ଠାକୁର ଲକ୍ଷାଧିକ ଭକ୍ତଙ୍କ ଗହଣରେ ମାଉସୀ ମା’ ଘର ଯାଏଁ ଶୁକ୍ରବାର ପହଞ୍ଚିଥିଲେ । ଶନିବାର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ରାଜନଅର ଯାଏ ରଥଟଣା ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ରଥ ପାନଳାସାହି ଛକରେ ଅଟକିଥିଲା । ସେବାୟତ ମାନେ ରାତ୍ର ହୋଇଯାଇଥିବା କାରଣ ଦର୍ଶାଇ ରଥଟଣା ବନ୍ଦ କରିବାକୁ ଦାବି କରି ରଥ ଚକା ତଳେ ଶୋଇ ପଡିଥିଲେ । ଉପ ଜିଲାପାଳ ଯଦୁମଣି ନାୟକ, ଏସଡିପିଓ ଅର୍ଚ୍ଚିତା ମିତ୍ତଲ ବହୁ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ଏମିତିକି ତହସିଲଦାରଙ୍କ ସହ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପ୍ରଶାସନ ରଥକୁ ଅଟକାଇଥିଲା । କିନ୍ତୁ, ହରି ଶୟନ ଏଦାଦଶି ହୋଇଥିବାରୁ ମନ୍ଦିରକୁ ଶ୍ରୀଜିଉ ଯିବାର ନିୟମ ଥିବାବେଳେ ସେଥିରେ ବ୍ୟତିକ୍ରମ ହୋଇଥିବା ଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ଡମ୍ବରୁଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସୂଚନା ଦେଇଛନ୍ତି । ଯାହାକି ଜୟପୁର ଇତିହାସରେ କେବେ ମଧ୍ୟ ଏପରି ବିଭ୍ରାଟ ହୋଇନଥିଲା । ଏପରି ଘଟଣା ଜୟପୁର ବାସୀଙ୍କୁ ବହୁତ ଆଘାତ ଦେଇଥିଲା । ଶନିବାର ଶ୍ରୀଜିଉ ମନ୍ଦିରକୁ ଫେରିବା ନେଇ ସମସ୍ତ ନୀତିକାନ୍ତି ହୋଇଥିଲା । ସୁନାରି ସାହି, ସାନ୍ତରା ସାହି, ଚେଢା ସାହି, ବ୍ରହ୍ମା ସାହି ବାସିନ୍ଦା ମିଠା କାକରା ପିଠା କରି ଅପେକ୍ଷା କରିଥିବା ବେଳେ ରଥ ଅଟକି ଯାଇଥିଲା । ଭକ୍ତମାନେ ନିରାଶ ହୋଇଥିଲେ । ବାଜା ବାଣ ସବୁ ପ୍ରସ୍ତୁତ ହୋଇଥିଲା । ଏହି ବିଭ୍ରାଟ ଯୋଗୁଁ ଶ୍ରଦ୍ଧାଳୁ ନିରାଶ ହୋଇଥିଲେ । ଏହାକୁ ଦେବୋତ୍ତର ବିଭାଗ ଗୁରୁତ୍ଵର ସହ ନେଇ ନୋଟିସ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି