

ସମ୍ବଲପୁର, ୨୭, ଜୁଲାଇ (ହି.ସ.) ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଥାନା ପୋଲିସ ୧୪ ଲକ୍ଷ ଟଙ୍କାର ଟିଏମଟି ରଡ୍ ଓ ଟିଏମଟି ରିଙ୍ଗ୍ ଚୋରି ଘଟଣାର ପର୍ଦ୍ଦାଫାଶ କରି ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଚୋରି ହୋଇଥିବା ସମସ୍ତ ସାମଗ୍ରୀକୁ ପୋଲିସ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ସହଯୋଗୀ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ରେଙ୍ଗାଲି ଥାନାରେ ୧୬୪/୨୬ ରେ ହୋଇଥିବା ମାମଲା ଅନୁଯାୟୀ ରେଙ୍ଗାଲି ଶ୍ୟାମ ମେଟାଲିକ୍ସରୁ ଆଠମଲ୍ଲିକକୁ ପରିବହନ ପାଇଁ ପଠାଯାଇଥିବା ୨୪.୬୬୦ ମେଟ୍ରିକ୍ ଟନ୍ ଟିଏମଟି ରଡ୍ ଓ ଟିଏମଟି ରିଙ୍ଗ୍ ବୋଝେଇ ଟ୍ରକ୍ ଚାଳକ ସହ ନିଖୋଜ ହୋଇଯାଇଥିଲା। ଏହି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ଥିଲା।
ତଦନ୍ତ ବେଳେ ମୋବାଇଲ୍ ଲୋକେସନ୍ ଓ କଲ୍ ଡିଟେଲ୍ ରେକର୍ଡ ବିଶ୍ଳେଷଣ ଆଧାରରେ ଅଭିଯୁକ୍ତ ୧୮ ବର୍ଷିୟ ଅମରେଶ ଅମାନ୍ତକୁ ପୋଲିସ ଧରିଥିଲା। ପଚରାଉଚରା ବେଳେ ସେ ଟ୍ରକ୍ ମାଲିକ ଓ ଅନ୍ୟ ସହଯୋଗୀଙ୍କ ସହ ମିଶି ପୂର୍ବ ଯୋଜନା ଅନୁଯାୟୀ ଏହି ଚୋରି କରିଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତର ସୂଚନା ଆଧାରରେ ପୋଲିସ ଅନୁଗୁଳ ଜିଲ୍ଲା ପୂର୍ଣ୍ଣାକୋଟ ଥାନା ଅନ୍ତର୍ଗତ କୁମୁରୀ ଗାଁର ଏକ ଗୋଦାମରେ ଚଢ଼ାଉ କରି ସମ୍ପୂର୍ଣ୍ଣ ଚୋରି ସାମଗ୍ରୀ ଉଦ୍ଧାର କରିଥିଲା।
ଏହାସହ ଅଭିଯୁକ୍ତମାନଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍ଆପ୍ ଚାଟ୍ ସମ୍ବଳିତ ଏକ ମୋବାଇଲ୍ ଫୋନ୍କୁ ମଧ୍ୟ ଜବତ କରାଯାଇଛି।
ଗିରଫ ଅମରେଶର ଘର ସୁନ୍ଦରଗଡ଼ ଜିଲ୍ଲା ମହୁଲପଡା ଥାନା ଜିନାକେଲା ଗ୍ରାମରେ ବୋଲି ଜଣାପଡିଛି । ଗିରଫ ବେଳେ ପୋଲିସ ତା ନିକଟରୁ ଏକ ମୋବାଇଲ୍ ଫୋନ୍ (ଅଭିଯୁକ୍ତମାନଙ୍କ ହ୍ୱାଟସ୍ଆପ୍ ଚାଟ୍ ସହ)
୮ ମି.ମି. ଟିଏମଟି ରଡ୍ର ୧୪୪ ବଣ୍ଡଲ୍ (୧୭୨୮ ଖଣ୍ଡ)
୧୦ ମି.ମି. ଟିଏମଟି ରଡ୍ର ୧୨୭ ବଣ୍ଡଲ୍ (୧୦୧୬ ଖଣ୍ଡ)
୧୨ ମି.ମି. ଟିଏମଟି ରଡ୍ର ୭୨ ବଣ୍ଡଲ୍ (୩୬୦ ଖଣ୍ଡ)
୧୬ ମି.ମି. ଟିଏମଟି ରଡ୍ର ୩୪ ବଣ୍ଡଲ୍ (୧୦୨ ଖଣ୍ଡ)
ଟିଏମଟି ରିଙ୍ଗ୍ର ୧୬୩ ବଣ୍ଡଲ୍
ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ