ମୋବାଇଲ୍ ନେଟୱର୍କ ପାଇଁ ମୁଳଗୁଦାରି ଗ୍ରାମବାସୀଙ୍କ ରାସ୍ତାରୋକ
Road block for mobile network by villagers
ଫୋଟ ୨


ଫୋଟ


କନ୍ଧମାଳ, ୨୭ ଜୁଲାଇ (ହି.ସ.)- ମୋବାଇଲ ନେଟୱର୍କ ସମସ୍ୟାକୁ ନେଇ ରାସ୍ତାରୋକ କଲେ ଫୁଲବାଣୀ ନିକଟସ୍ଥ ମୁଳଗୁଦାରି ଗ୍ରାମବାସୀ। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ମୁଳଗୁଦାରି ଗ୍ରାମରେ ଦୀର୍ଘଦିନ ଧରି ମୋବାଇଲ ଟାୱାର ଥିଲେ ମଧ୍ୟ ନେଟୱର୍କ ସେବା ମିଳୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବହୁବାର ପ୍ରଶାସନକୁ ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଆଜି ସକାଳେ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଫଳରେ ଉଭୟ ପଟରେ ଦୀର୍ଘ ସମୟ ଧରି ସେହି ରାସ୍ତାରେ ଗାଡି ମୋଟର ଚଳାଚଳ ଠପ୍ ହୋଇଯାଇଥିଲା । ଘଟଣାସ୍ଥଳରେ ଖଜୁରୀପଡ଼ା ପୋଲିସ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ମୁଳଗୁଦାରି ଗ୍ରାମରେ ବହୁଦିନ ହେଲା ମୋବାଇଲ ଟାୱାର ବସିଥିଲେ ମଧ୍ୟ ନେଟୱର୍କ ସମସ୍ୟା ଲାଗି ରହିଛି। ଏନେଇ ଗ୍ରାମର ଏସଏସଜି ମହିଳା, ଯୁବକ ଓ ସ୍ଥାନୀୟ ବାସିନ୍ଦାମାନେ ବହୁବାର ଜିଲ୍ଲାପାଳ ଓ ଖଜୁରୀପଡ଼ା ବ୍ଲକ ପ୍ରଶାସନଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। କିନ୍ତୁ, ସମସ୍ୟାର ସମାଧାନ ନ ହେବାରୁ ଆଜି ଗ୍ରାମବାସୀ ରାସ୍ତାରୋକ କରି ପ୍ରତିବାଦ ଜଣାଇଥିଲେ।

ଗ୍ରାମରେ ମୋବାଇଲ ନେଟୱର୍କ ନଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସ ଡାକିବା ପାଇଁ ପ୍ରାୟ ଏକ କିଲୋମିଟର ଦୂରକୁ ଯିବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫୁଲବାଣୀ ସହରଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ସତ୍ତ୍ୱେ ଏଭଳି ସମସ୍ୟା ଲୋକେ ଭୋଗୁଥିବା କହିଛନ୍ତି। ପରେ ଖଜୁରୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande