

କନ୍ଧମାଳ, ୨୭ ଜୁଲାଇ(ହି.ସ.) – କନ୍ଧମାଳ ଜିଲ୍ଲାପ୍ରଶାସନ ଦ୍ୱାରା ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ଆରମ୍ଭ ହୋଇଥିବା ଅଭିନବ ପ୍ରୟାସ ଟିଚ୍ କନ୍ଧମାଳ ଅଭିଯାନ ଅନୁଯାୟୀ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପରିଦର୍ଶନ ପାଇଁ ଦାୟିତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ, ଦଳପଡ଼ା ପରିଦର୍ଶନ କରିଥିଲେ। ସକାଳ ୯.୩୦ମିନିଟ୍ରେ ସେ ବିଦ୍ୟାଳୟରେ ପହଂଚି ପ୍ରଥମେ ପ୍ରାର୍ଥନାରେ ଯୋଗ ଦେଇଥିଲେ। ପରେ ସେ ନବମ ଓ ଦଶମ ଶ୍ରେଣୀରେ ଗଣିତ ଓ ବିଜ୍ଞାନ ପାଠ ପଡ଼ାଇଥିଲେ। ଶ୍ରୀ ସାହୁ ପାଠାଗାର, ବିଜ୍ଞାନାଗାର, ଶିକ୍ଷକ କମନ୍ ରୁମ୍ ଓ ବଗିଚା ପରିଦର୍ଶନ କରିଥିଲେ। ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟାନ୍ନ ଭୋଜନ ଅନୁଧ୍ୟାନ କରିବା ସହିତ ଛାତ୍ର ଛାତ୍ରୀ ଉପସ୍ଥାନ ଯାଂଚ କରିଥିଲେ। ବିଦ୍ୟାଳୟର ପରିଚାଳନା ଓ ପରିବେଶ ଦେଖି ଜିଲ୍ଲାସ୍ତରୀୟ ଅଧିକାରୀ ଶ୍ରୀ ସାହୁ ଖୁସି ବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପରିସରରେ ବିଶେଷ କରି ଅମୃତଭଣ୍ଡା, ସଜନା ଓ କିଛି ପନିପରିବା ଚାଷ କରାଯାଇ ପାରିଲେ ଏହା ପିଲାଙ୍କ ମଧ୍ୟାନ୍ନ ଭୋଜନରେ ବ୍ୟବହାରରେ ଲାଗି ପାରିବ ବୋଲି ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ବିଭିନ୍ନ ସମସ୍ୟା ମଧ୍ୟରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ସ୍ମାର୍ଟ କ୍ଲାସ ଚାଲିପାରୁ ନାହିଁ। ଏଣୁ ସୋଲାର ସିଷ୍ଟମ୍ ନିହାତି ଆବଶ୍ୟକ ରହିଛି ବୋଲି ଶ୍ରୀ ସାହୁ ଉପଲବ୍ଧି କରିଥିଲେ। ଏତଦ୍ବ୍ୟତୀତ ବିଦ୍ୟାଳୟ ଚାରିପଟେ ପାଚେରୀ, ରୋସେଇଗୃହ, ପ୍ରଶାସନିକ ଗୃହ, ଖେଳପଡ଼ିଆ ଓ ଛାତ୍ରାବାସ ନଥିବାରୁ ଏସଂପର୍କରେ ପ୍ରଶାସନକୁ ରିପୋର୍ଟ ଦିଆଯିବ ବୋଲି ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟଯେ ଗତ ୨୬ ବର୍ଷ ହେଲା ଏହି ପଂଚାୟତରେ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଏହା ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଆସୁଛି। ଚଳିତ ବର୍ଷ ଏହି ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ରଜତ ଜୟନ୍ତୀ ପାଳନ କରିବାକୁ ଯାଉଥିବା ସଭାପତି ସୁବାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ