
ଚମ୍ପୁଆ, ୨୭ ଜୁଲାଇ (ହି.ସ.)- ପ୍ରାଚୁର୍ଯ୍ୟ ଭରା ଏବଂ ଖଣି ସମ୍ପଦ ଯୋଗୁଁ ସାରା ବିଶ୍ୱରେ ପରିଚିତ ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ଅଞ୍ଚଳ। ଏହି ଅଞ୍ଚଳରୁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ପାଉଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିକାଶ ଆଜି ବି ସାତ ସପନ ପାଲଟିଛି। ବିଶେଷ କରି ଯୋଡ଼ା ବ୍ଲକର ଚାରୋଟି ପଞ୍ଚାୟତର ଅଞ୍ଚଳବାସୀ ସ୍ୱାସ୍ଥ୍ୟ ଓ ଉତ୍ତମ ଗମନାଗମନ ସେବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇ ରହିଛନ୍ତି। ଏହି ସମସ୍ୟା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ହେଁ, ପ୍ରଶାସନ ଆଖିବୁଜି ଚୁପ ହୋଇ ବସିଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଉଦାସୀନତା ପ୍ରତିବାଦରେ ଆଜି କାଳିମାଟି-ଦବୁନା ରାସ୍ତା ମରାମତି ଦାବି କରି ଜନସାଧାରଣ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରୋକ କରିଛନ୍ତି।
ସୂଚନା ଅନୁଯାୟୀ, ବାମେବାରୀ ଯୋଡାରୁ ପଳାସପଙ୍ଗାକୁ ସଂଯୋଗ କରୁଥିବା ରାସ୍ତାଟି ଏବେ ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଛି। ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲ ଓ କାଦୁଅ ସଲବଲ ଯୋଗୁଁ ପଥଚାରୀ, ବାଇକ୍ ଚାଳକ ଏବଂ ଚାରି ଚକିଆ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଏହି ବିପଦପୂର୍ଣ୍ଣ ରାସ୍ତା ଯୋଗୁଁ ଅଞ୍ଚଳବାସୀ ନିୟମିତ ଭାବେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। କାଳିମାଟି ଛକ ଠାରୁ ଦବୁନା ରାସ୍ତାର ଶୋଚନୀୟ ଅବସ୍ଥା ଏପରି ହୋଇଛି ଯେ ଗତବର୍ଷ ରଥଯାତ୍ରା ସମୟରେ ରଥ ଚକ ଭାଙ୍ଗି କାଦୁଅରେ ଫସି ରହିଥିଲା। ଶେଷରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କାନ୍ଧରେ ବୋହି ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ। ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟର ପୁନରାବୃତ୍ତି ଘଟିଛି। କାଦୁଅରେ ରଥ ଫସିଯିବା ପରେ ବହୁ କଷ୍ଟରେ ଠାକୁରଙ୍କୁ ମାଉସୀମା ମନ୍ଦିରକୁ ନିଆଯାଇଥିଲା। ରାସ୍ତାର ଏଭଳି ଦୁର୍ଦ୍ଦଶା କାରଣରୁ ଦବୁନା ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀମାନେ ଚପଲକୁ ହାତରେ ଧରି, କାଦୁଅ ପଙ୍କ ଭିତରେ ଜୀବନକୁ ବାଜି ଲଗାଇ ସ୍କୁଲକୁ ଯାଉଥିବା ଦେଖିବାକୁ ମିଳୁଛି।
ସେହିପରି ଦବୁନା ଅଞ୍ଚଳର ଜଣେ ଯୁବକ ପାଦରେ ଚାଲି ଚାଲି ଆସୁଥିବା ବେଳେ ହଠାତ ଗୋଡ଼ ଖସିଯିବାରୁ ରାସ୍ତା ମଝିରେ ଥିବା ଏକ ବଡ଼ ଖାଲରେ ପଡ଼ି ଯାଇଥିଲେ। ସେ ସମ୍ପୂର୍ଣ୍ଣ ଭାବେ କାଦୁଅ ସଲବଲ ହୋଇଯିବା ପରେ ସ୍ଥାନୀୟ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା। ଆଉ କେତେ କଷ୍ଟ ସହିବୁ? ବୋଲି ପ୍ରଶ୍ନ କରି ଉତ୍ତ୍ୟକ୍ତ ଲୋକମାନେ କାଳିମାଟି-ଦବୁନା ରାସ୍ତା ନିର୍ମାଣ ଦାବିରେ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ଦେଇଛନ୍ତି। ରାସ୍ତା ଅବରୋଧ ଯୋଗୁଁ ସ୍ଥାନୀୟ ଖଣି କମ୍ପାନୀଗୁଡ଼ିକରୁ ଲୁହାପଥର ବୋଝେଇ ହୋଇ ଯାଉଥିବା ଶହ ଶହ ଟ୍ରକ ରାସ୍ତାର ଦୁଇ ପାର୍ଶ୍ୱରେ ଅଟକି ରହିଛି। ଯାହାଫଳରେ ଗାଡ଼ିଗୁଡ଼ିକର ଏକ ଦୀର୍ଘ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ଏବଂ ସ୍ଥାୟୀ ପ୍ରତିଶ୍ରୁତି ନମିଳିଛି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ତେବେ ପ୍ରଶାସନ କେବେ ଆଖି ଖୋଲୁଛି ଏବଂ ଅଞ୍ଚଳବାସୀ ଏହି ନର୍କ ଯନ୍ତ୍ରଣାରୁ ମୁକ୍ତି ପାଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
ହିନ୍ଦୁସ୍ଥାନ ସମାଚାର / Trinath Mahanta