



ସମ୍ବଲପୁର, ୧୮, ଅଗଷ୍ଟ (ହି.ସ.) ଗଡ଼ପୋସ ଅଞ୍ଚଳରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗୋବିନ୍ଦପୁର ଥାନା ପୋଲିସ ତାଙ୍କ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋସ ଦେହୁରିପଡ଼ା ଗ୍ରାମର ଲିଲିମା ଭେଙ୍ଗରାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ସୁଜାତା ଭେଙ୍ଗରାଙ୍କ ସହ ବୁଣ୍ଡୁ କାମାଲ ଗ୍ରାମର ଅନୁଜ ଲୁଗୁନଙ୍କ ପ୍ରେମ ସମ୍ପର୍କ ଥିଲା।
ଗତ ୧୫ ଅଗଷ୍ଟ ସନ୍ଧ୍ୟାରେ ଅନୁଜ ସୁଜାତାଙ୍କୁ ନିଜ ଘରକୁ ଡାକିଥିଲେ। ପରଦିନ ସୁଜାତା ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅନୁଜ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ଘଟଣାସ୍ଥଳରେ ସୁଜାତାଙ୍କ ମୁହଁ ଓ ବେକରେ ଏକାଧିକ ଦାଗ ଦେଖିବା ପରେ ପରିବାର ଲୋକେ ହତ୍ୟା ସନ୍ଦେହ ପ୍ରକାଶ କରି ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାପରେ ଅନୁଜ ଲୁଗୁନକୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇ ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ