
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ତାଳସଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିସରରେ ନିଜ ପରିବାର ସହ ରହୁଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ବିଦ୍ୟାଳୟ ଷ୍ଟାଣ୍ଡିଂ କମିଟିର ସଭାପତି ତଥା ତାଳସଙ୍ଗା ସରପଂଚ ଅଶାନ୍ତି ସ୍ୱାଇଁ ଏହି ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ପାଇବା ପରେ ସରପଂଚ ଶୁକ୍ରବାର ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେଠାରେ ମୋଟ ୪୯ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ଉପସ୍ଥାନ ଖାତାରେ ୬୨ ଜଣଙ୍କ ଉପସ୍ଥାନ ଦର୍ଶାଯାଇଥିବା ସରପଂଚ ଅଭିଯୋଗ କରିଛନ୍ତି। ଏନେଇ ସରପଂଚ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକ ସରପଂଚଙ୍କୁ ବିଦ୍ୟାଳୟରୁ ବାହାରି ଯିବାକୁ କହିଥିବା ସରପଂଚ ଅଭିଯୋଗ କରିଛନ୍ତି। ପରେ ସରପଂଚ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଘଟଣା ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରିଥିବା ବେଳେ ଘଟଣାର ଯାଂଚ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଏହି ଅଭିଯୋଗ ସମ୍ପର୍କରେ ପ୍ରଧାନଶିକ୍ଷକ ରାଜକିଶୋର ବେହେରାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ସରପଂଚ ଘଟଣାର ତଦନ୍ତ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ନିୟମାନୁଯାୟୀ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି