
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଓଡ଼ିଶାରେ ଚଳିତ ଖରିପ୍ ଋତୁରେ ବିଳମ୍ବରେ ଓ ମାତ୍ରାଧିକ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଯୁଦ୍ଧକାଳୀନ ଭିତିରେ ସମସ୍ତ ଫସଲର ସଠିକ ଆକଳନ କରି ତୁରନ୍ତ ଆର୍ଥିର୍କ ସହାୟତା ଓ ବିହନ, ସାର, ଔଷଧ, ମାଗଣାରେ ପ୍ରଦାନ କରିବା ପାଇଁ ଅଖିଳ ଭାରତ କୃଷକ ସଭା ରାଜ୍ୟ ପରିଷଦ ପକ୍ଷରୁ ଦୃଢ଼ ଦାବି କରାଯାଇଛି।
ଚଳିତ ବର୍ଷ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲ ଦୀର୍ଘଦିନ ଧରି ଜଳମଗ୍ନ ଅବସ୍ଥାରେ ରହିଛି। ଲକ୍ଷ ଲକ୍ଷ ଜନସାଧାରଣ ପାଣି ଘେରରେ ଅଛନ୍ତି। ରିଲିଫ ଥଇଥାନ ଓ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ତୁରନ୍ତ ପର୍ଯ୍ୟାପ୍ତ ରିଲିଫ ୧ ମାସ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଅଖିଳ ଭାରତ କୃଷକ ସଭା ଦାବି କରିଛି।
ସାମ୍ପ୍ରତିକ ପରିସ୍ଥିତିରେ ଦରଦାମ୍ ବୃଦ୍ଧି, କୃଷି ଉପକରଣ, ବିହନ, ସାର, ଔଷଧ ଇତ୍ୟାଦି କୃଷି ସମ୍ବନ୍ଧୀୟ ସମସ୍ତ ବସ୍ତୁର ବଜାର ଦର ସହ ପ୍ରତିବର୍ଷ ଶ୍ରମ ବିଭାଗ କୃଷି ଶ୍ରମିକଙ୍କ ମଜୁରୀ ନିର୍ଦ୍ଧାରଣକୁ ଗୁରୁତ୍ୱ ନ ଦେବା ଫଳରେ କୃଷି କ୍ଷେତ୍ରରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ଆକଳନ ହୋଇପାରୁ ନାହିଁ। ଏଣୁ ଏସବୁର ଠିକ୍ ଆକଳନ ପାଇଁ ରାଜ୍ୟରେ ପଞ୍ଜୀକୃତ ଜାତୀୟ ଓ ରାଜ୍ୟ କୃଷକ ସଙ୍ଗଠନଗୁଡ଼ିକର କର୍ମକର୍ତାଙ୍କୁ ନେଇ ରାଜ୍ୟ ସରକାର ତୁରନ୍ତ ଏକ ଦ୍ୱିପାକ୍ଷିକ ବୈଠକ ଡାକି ବର୍ତମାନର ରିଲିଫ କୋର୍ଡରେ ବାସ୍ତବତାକୁ ଆଖିରେ ରଖି ତୁରନ୍ତ ପରିବର୍ତନ କରି ଚଳିତ ବନ୍ୟା ପରିସ୍ଥିତି ସହ ଆଗାମୀଦିନରେ ହେବାକୁ ଥିବା ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କୁ ସଠିକ କ୍ଷତିପୂରଣ ପ୍ରଦାନ ପାଇଁ ଅଖିଳ ଭାରତ କୃଷକ ସଭା ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ କ୍ଷୀରୋଦ ସିଂହଦେଓ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା