ବନ୍ୟା ବିପନ୍ନ ମହିଳାଙ୍କୁ କାନ୍ଧରେ ବୋହି ଉଦ୍ଧାର କଲେ ଆଶା କର୍ମୀ ମିନତୀ ସାହୁ, ମାନବିକତା ଓ ସାହସିକତାର ନିଆରା ଉଦାହରଣ
ଭଦ୍ରକ, ୧୯ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍ରେ ବନ୍ୟା ପରିସ୍ଥିତି ସମୟରେ ଜଣେ ଆଶା କର୍ମୀ ନିଜ ଜୀବନକୁ ବିପଦରେ ପକାଇ ବନ୍ୟା ବିପନ୍ନ ମହିଳାଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେଇ ଆସି ମାନବିକତା ଓ ସାହସିକତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ଧାମନଗ
BANYA BIPANANKU KANDHARE BOHILE ASHA MINATI SAHOO


ଭଦ୍ରକ, ୧୯ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ୍ରେ ବନ୍ୟା ପରିସ୍ଥିତି ସମୟରେ ଜଣେ ଆଶା କର୍ମୀ ନିଜ ଜୀବନକୁ ବିପଦରେ ପକାଇ ବନ୍ୟା ବିପନ୍ନ ମହିଳାଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେଇ ଆସି ମାନବିକତା ଓ ସାହସିକତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ଧାମନଗର ବ୍ଲକ୍ର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିବା ବେଳେ ବନ୍ୟାଜଳ ଘରଦ୍ୱାର ମଧ୍ୟରେ ପ୍ରବେଶ କରିଥିଲା। ଏହି ସମୟରେ ନଦିଗାଁର ଜଣେ ପ୍ରାୟ ୬୦ ବର୍ଷୀୟା ମହିଳା ବନ୍ୟାଜଳ ମଧ୍ୟରେ ଅସୁବିଧାରେ ପଡ଼ିଥିବା ଖବର ପାଇ ଆଶା କର୍ମୀ ମିନତୀ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ। ବନ୍ୟାଜଳର ପ୍ରଖରତାକୁ ଖାତିର ନକରି ମିନତୀ ସାହୁ ବନ୍ୟାଜଳ ମଧ୍ୟରେ ପଶି ମହିଳାଙ୍କୁ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେଇ ଆସିଥିଲେ। ତାଙ୍କର ଏହି ସାହସିକ ପଦକ୍ଷେପ ଯୋଗୁଁ ଜଣେ ବନ୍ୟା ବିପନ୍ନଙ୍କ ଜୀବନ ସୁରକ୍ଷିତ ହୋଇପାରିଥିଲା। ଆଶା କର୍ମୀ ମିନତୀ ସାହୁଙ୍କ ଏହି ମାନବିକ ଓ କର୍ତବ୍ୟନିଷ୍ଠ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ବିପଦ ସମୟରେ ନିଜ କର୍ତବ୍ୟ ପ୍ରତି ତାଙ୍କର ନିଷ୍ଠା ଓ ସାହସକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଛି। ଏଭଳି ସାହସିକ ଓ ମାନବିକ ପଦକ୍ଷେପ ବନ୍ୟା ପରିସ୍ଥିତିରେ ଲୋକଙ୍କ ସେବା ପାଇଁ ନିୟୋଜିତ କର୍ମଚାରୀଙ୍କ କର୍ତବ୍ୟନିଷ୍ଠାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ରହିବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande