
Bhubaneswar, 19 ଅଗଷ୍ଟ (ହି.ସ.)
ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନକ୍ରମେ ରାଜଧାନୀର ଗାନ୍ଧୀମାର୍ଗରେ ଅହୋରାତ୍ର ଗଣଧାରଣା ଚାଲିଛି । ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ଥାୟିତ୍ୱ, ଅନୁଦାନ, ସରକାରୀକରଣ, ଆବଶ୍ୟକୀୟ ନିଯୁକ୍ତି, ଚାକିରି ସର୍ତ୍ତାବଳୀ, ପେନସନ, ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ପ୍ରଦାନ ଇତ୍ୟାଦି ଦାବିରେ ଏହି ଆନେ୍ଦାଳନ ୧୬ ଅଗଷ୍ଟରୁ ଏ ପର୍ଯ୍ୟନ୍ତ ଚାଲିଛି । ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଭୁଲ୍ ପାଠ୍ୟପୁସ୍ତକ ପରିବର୍ତ୍ତନ ହେଲା ନାହିଁ । ତାଲିମ ପାଇ ବେରୋଜଗାର ଥିବା ଶିକ୍ଷକ ଆଶାୟୀଙ୍କ ଆନେ୍ଦାଳନ ଚାଲିଛି । ସରକାର ଏହି ସମସ୍ତ ସମସ୍ୟାର ସମାଧାନ ପରିବର୍ତ୍ତେ ମୂକ ଦର୍ଶକ ସାଜିଛନ୍ତି । ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଉଭୟ ବିଧାନସଭା ଭିତରେ ଓ ବାହାରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ରାଜ୍ୟର ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଚାଲିଛନ୍ତି ।
ଶିକ୍ଷକ ଓ କର୍ମଚାରୀଙ୍କ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରୁ ସରକାରୀ ଅନୁଦାନ ପ୍ରତ୍ୟାଶୀ ସମସ୍ତ ସ୍କୁଲଗୁଡ଼ିକୁ ତୁରନ୍ତ ଅନୁଦାନ ପ୍ରଦାନ, ରାଜ୍ୟର ସମସ୍ତ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ସହିତ ପେନସନ, ଖାଲିଥବା ପଦବୀରେ ଅବିଳମ୍ବେ ନିଯୁକ୍ତି, ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସରକାରୀକରଣ, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି, ରାଜ୍ୟର ସମସ୍ତ ବେସରକାରୀ ଓ ଅନୁଦାନ ଯୋଗ୍ୟ ବିବେଚିତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସମାନ ଭାବେ ପ୍ରଦାନ ଦାବି କରାଯାଇଛି ।
କେବଳ ସେତିକି ନୁହେଁ, ରାଜ୍ୟରେ ପୂର୍ବ ପ୍ରଚଳିତ ଅନୁଦାନ ନୀତିକୁ କାର୍ଯ୍ୟକାରୀ ନ କରି ଉଚ୍ଚସ୍ତରୀୟ କମିଟି ସୁପାରିଶକୁ ପ୍ରତୀକ୍ଷା ନାମରେ ଅହେତୁକ ବିଳମ୍ବ କରିଚାଲିଛନ୍ତି । ଫଳରେ ସମାନ ଶିକ୍ଷାଗତ ଯୋଗ୍ୟତା, ସମାନ ଅଭିଜ୍ଞତା ଥିବା ଶିକ୍ଷକଙ୍କୁ ସମାନ ବେତନ ନ ଦେଇ ଅନେକ ଶିକ୍ଷକ ୩୦ ବର୍ଷର ଶିକ୍ଷାଦାନର କଠୋର ଶ୍ରମ ପରେ ବି ଶ୍ରମର ମୂଲ୍ୟପ୍ରାପ୍ତିର ମୌଳିକ ଅଧିକାରରୁ ବଞ୍ଚôତ ହୋଇ ଅନେକଙ୍କ ମୃତୁ୍ୟ ଘଟିଲାଣି । ପେନସନ ସମ୍ପର୍କରେ ୧୯୮୧ ପେନସନ ନିୟମକୁ ଲାଗୁ କରିବା ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ତା୧୨ ।୧ ।୨୦୨୪ର ନିଦେ୍ର୍ଦଶନାମାକୁ କାର୍ଯ୍ୟକାରୀ କରୁ ନାହାନ୍ତି । ଓଡ଼ିଶାରେ ୧୮୯ ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ନୂତନ କରି ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଗ୍ରାଚୁ୍ୟଇଟି ଓ ପେନସନ ସମେତ ୬୯୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ, ୨୫୫୧ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲ, ୬୦୯ ଅନୁଦାନପ୍ରାପ୍ତ ଏମ୍ଇ ସ୍କୁଲ, ୯୧୬ ନୂତନ ଅନୁଦାନପ୍ରାପ୍ତ ଏମ୍ଇ ସ୍କୁଲ, ୧୦୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସଂସ୍କୃତ ବିଦ୍ୟାଳୟ, ୩୯ ନୂତନ ଅନୁଦାନପ୍ରାପ୍ତ ସଂସ୍କୃତ ବିଦ୍ୟାଳୟ, ୭୭ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମଦ୍ରାସା, ୧୧୩ ନୂତନ ଅନୁଦାନପ୍ରାପ୍ତ ମଦ୍ରାସା, ୬୬୨ ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୪୪୮ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ମୋଟ ଆବଶ୍ୟକୀୟ ବାର୍ଷିକ ଅନୁଦାନ ୫ ହଜାର କୋଟି ଟଙ୍କା ମଧ୍ୟରେ ସୀମିତ ଥିବାବେଳେ ରାଜ୍ୟ ସରକାର ମାନ୍ୟବର ବିଚାରାଳୟଙ୍କୁ ୧୮ ହଜାର କୋଟି ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇ ବିଭ୍ରାନ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କୁହାଯାଇଛି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭୁଲ୍ ପ୍ରମାଣିତ ପାଠ୍ୟପୁସ୍ତକ ପରିବର୍ତ୍ତନ କରି ଛାତ୍ରଛାତ୍ରୀଙ୍କୁ ପୂର୍ବ ବର୍ଷର ପାଠ୍ୟପୁସ୍ତକ ଓ ପାଠ୍ୟକ୍ରମରେ ଶିକ୍ଷାଦାନ କରନ୍ତୁ । ଆମ ରାଜ୍ୟର ଭୌଗୋଳିକ, ଐତିହାସିକ, ସାଂସ୍କୃତିକ ସ୍ଥିତିକୁ ଦୃଷ୍ଟି ଦେଇ ଶିକ୍ଷା ହିତାଧିକାରୀ ଯଥା ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ରାଭିଭାବକ ଓ ବୈଜ୍ଞାନିକ ଦୃଷ୍ଟିକୋଣ ପୁଷ୍ଟ ଶିକ୍ଷାବିତ୍ଙ୍କ ପରାମର୍ଶ ନେଇ ନୂତନ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ଦୃଢ଼ ଦାବି କରିଛି । ଅବିଳମ୍ବେ ରାଜ୍ୟ ସରକାର ଏହି ଦାବି ପୂରଣ ସହ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ସିପିଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଦାବି କରାଯାଇଛି ।
ଏହି ପୃଷ୍ଠଭୂମିରେ ଏ ସମସ୍ତ ଦାବି ପୂରଣ ପାଇଁ ଆନେ୍ଦାଳନକାରୀ ସ୍କୁଲ, କଲେଜ, ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ତାଲିମପ୍ରାପ୍ତ ଶିକ୍ଷକ ଆଶାୟୀ ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରି ଅବିଳମ୍ବେ ଦାବି ପୂରଣର ତ୍ୱରିତ ବ୍ୟବସ୍ଥା କରନ୍ତୁ । ନଚେତ୍ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ବ୍ୟାପୀ ‘ଶିକ୍ଷା ବଞ୍ଚାଅ’ ଦାବିରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ତାଲିମପ୍ରାପ୍ତ ଶିକ୍ଷକ ଆଶାୟୀ ଓ ରାଜ୍ୟର ଶିକ୍ଷାପ୍ରେମୀ ରାଜନୈତିକ ଦଳ, ସଙ୍ଗଠନ ଓ ଶିକ୍ଷାବିତ୍ମାନେ ଏହି ଆନେ୍ଦାଳନକୁ ଆହୁରି ଶକ୍ତିଶାଳୀ କରିବାକୁ ବାଧ୍ୟ ହେବେ ବୋଲି ଭାରତୀୟ କମୁ୍ୟନିଷ୍ଟ ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା