ଇଏଲସି ବୈଠକ ଅନୁଷ୍ଠିତ: ଯୁବକମାନଙ୍କୁ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେବାକୁ ଆହ୍ୱାନ
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.) ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜରେ ଏକ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲସି) ବୈଠକ ଓ ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବିଏମସି କମିଶନର ଶ୍ରୀ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦ
ଇଏଲସି ବୈଠକ ଅନୁଷ୍ଠିତ: ଯୁବକମାନଙ୍କୁ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେବାକୁ ଆହ୍ୱାନ


ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.) ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜରେ ଏକ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲସି) ବୈଠକ ଓ ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ବିଏମସି କମିଶନର ଶ୍ରୀ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଭୋଟର ପଞ୍ଜୀକରଣରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ।

ଏହି ଅବସରରେ ୧୧୪-ଏକାମ୍ର ନିର୍ବାଚନ ମଣ୍ଡଳୀର ଇଆରଓ ଶ୍ରୀ ରାକେଶ କୁମାର ପାତ୍ର ନୂତନ ଭୋଟରଙ୍କ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ଏବଂ ରାଜଧାନୀ କଲେଜର ଅଧ୍ୟକ୍ଷ ଶ୍ରୀ ସରୋଜ କାନ୍ତ ଚୌଧୁରୀ ଗଣତାନ୍ତ୍ରିକ ମୂଲ୍ୟବୋଧ ବୃଦ୍ଧିରେ ଶିକ୍ଷାନୁଷ୍ଠାନର ଭୂମିକା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିଶନର (ନିର୍ବାଚନ) ଶ୍ରୀ ସୂର୍ୟ୍ୟମଣି ପଟ୍ଟଯୋଶୀ, ଏଆରଓ ଶ୍ରୀମତୀ ଲିପ୍ସା ମହାପାତ୍ର ଏବଂ ଇଏଲସି ନୋଡାଲ ଅଫିସର ପ୍ରଫେସର ଅପରାଜିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ୟ୍ୟକ୍ରମରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ କଲେଜର ଅଧ୍ୟାପକ-ଅଧ୍ୟାପିକାମାନେ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ସଚେତନତା ସମ୍ପର୍କିତ ବିତର୍କ, କୁଇଜ୍ ଏବଂ ପୋଷ୍ଟର ପ୍ରଦର୍ଶନୀ ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande