
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.) ଓଡ଼ିଶାକୁ ଅନ୍ତର୍ଭୁକ୍ତ କରୁଥିବା ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପଗୁଡ଼ିକୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ମଞ୍ଜୁରୀ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ସ୍ୱାଗତ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ରେଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରେଳ ଚଳାଚଳ କ୍ଷମତା ବୃଦ୍ଧି ପାଇବ। ଯାତ୍ରୀ ଓ ମାଲ ପରିବହନ ଅଧିକ ସୁଗମ ହେବା ସହ ରାଜ୍ୟର ପ୍ରମୁଖ ଆର୍ଥିକ କେନ୍ଦ୍ରଗୁଡ଼ିକ ସହ ରେଳ ଯୋଗାଯୋଗ ଆହୁରି ମଜବୁତ ହେବ। ଏହା ଓଡ଼ିଶାର ନିରନ୍ତର ବିକାଶ ଓ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଓଡ଼ିଶାର ରେଳ ନେଟୱର୍କକୁ ସୁଦୃଢ଼ କରିବା ସହ ରାଜ୍ୟର ଭିତ୍ତିଭୂମି ଓ ଆର୍ଥିକ ବିକାଶକୁ ଆଗେଇ ନେବାରେ ନିରନ୍ତର ସହଯୋଗ ଓ ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।
ଏହି ପ୍ରକଳ୍ପଗୁଡ଼ିକର ସଫଳ କାର୍ଯ୍ୟକାରିତା ଦ୍ୱାରା ଓଡ଼ିଶାରେ ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ଉନ୍ନତ ହେବା ସହ ଯାତ୍ରୀ ଓ ବାଣିଜ୍ୟିକ କାର୍ଯ୍ୟକଳାପ ଏହାର ବ୍ୟାପକ ଲାଭ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ