
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ସମସ୍ୟାର ସମାଧାନ ଓ ଶିକ୍ଷକ-କର୍ମଚାରୀଙ୍କ ଦାବି ପୂରଣ ଦାବିରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଅଗଷ୍ଟ ୧୬ରୁ ଚାଲିଥିବା ଏହି ଆନ୍ଦୋଳନକୁ ନେଇ ସିପିଆଇ ଓଡ଼ିଶା ରାଜ୍ୟ ପରିଷଦ ସମର୍ଥନ ଜଣାଇଛି।
ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ସ୍କୁଲ-କଲେଜକୁ ତୁରନ୍ତ ଅନୁଦାନ, ଶିକ୍ଷକ ଓ କର୍ମଚାରୀଙ୍କ ଚାକିରି ସର୍ତାବଳୀ ସହ ପେନସନ, ଖାଲି ପଦବୀରେ ନିଯୁକ୍ତି ଏବଂ ସମସ୍ତ ଶିକ୍ଷାନୁଷ୍ଠାନର ସରକାରୀକରଣ ଭଳି ଦାବି ରହିଛି। ଏଥିସହ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସମସ୍ତ ସରକାରୀ ସୁବିଧା ଦେବାକୁ ମଧ୍ୟ ଦାବି କରାଯାଇଛି।
୧୯୮୧ ପେନସନ ନିୟମ ଲାଗୁ କରିବା ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ସରକାରୀକରଣ ଦାବି ମଧ୍ୟ ଉଠିଛି। ଏହି ସମସ୍ତ ଦାବି ଶୀଘ୍ର ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା