ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ: ଯୋଗାଯୋଗ ବିଚ୍ଛିନ୍ନ, ଚିନ୍ତାରେ ଦୁଇ ପଂଚାୟତର ଜନସାଧାରଣ
ଚମ୍ପୁଆ, ୧୯ ଅଗଷ୍ଟ (ହି.ସ.) - କ୍ରମାଗତ ଲଗାଣ ବର୍ଷା ଯୋଗୁଁ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ପଂଚାୟତରୁ ପଡୁଆ ଏବଂ ଭୀମପୁର ପଂଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ପୋଲଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ପୋଲର ଏହି ଶୋଚନୀୟ ଅବସ୍ଥା ଯୋଗୁଁ ଦୁଇଟି ଯାକ ପଂଚାୟତର ହଜାର ହଜାର ଲୋକ ବାହ୍ୟ ଜଗତରୁ ସମ୍ପୂ
ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ: ଯୋଗାଯୋଗ ବିଚ୍ଛିନ୍ନ, ଚିନ୍ତାରେ ଦୁଇ ପଂଚାୟତର ଜନସାଧାରଣ


ଚମ୍ପୁଆ, ୧୯ ଅଗଷ୍ଟ (ହି.ସ.) - କ୍ରମାଗତ ଲଗାଣ ବର୍ଷା ଯୋଗୁଁ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ପଂଚାୟତରୁ ପଡୁଆ ଏବଂ ଭୀମପୁର ପଂଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ପୋଲଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ପୋଲର ଏହି ଶୋଚନୀୟ ଅବସ୍ଥା ଯୋଗୁଁ ଦୁଇଟି ଯାକ ପଂଚାୟତର ହଜାର ହଜାର ଲୋକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇପଡ଼ିଛନ୍ତି।

ସ୍ଥାନୀୟ ଅଂଚଳବାସୀ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ଯେପରିକି ସାପ୍ତାହିକ ହାଟ, ବ୍ୟାଙ୍କ, ହସ୍ପିଟାଲ ଏବଂ ସ୍କୁଲ-କଲେଜ ପାଇଁ ସମ୍ପୂର୍ଣ୍ଣ ଭାବେ ଭଣ୍ଡା ଉପରେ ନିର୍ଭର କରନ୍ତି। ମାତ୍ର ପୋଲଟି ଭାଙ୍ଗିଯିବା ପରେ ସେମାନଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗ୍ରାମକୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସଟିଏ ଆସିବା ମଧ୍ୟ ଏବେ ଅସମ୍ଭବ ହୋଇପଡ଼ିଛି। ଏହି ସମସ୍ୟା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଆଶଙ୍କା ସୃଷ୍ଟି କରିଛି।

ପରିସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। କ୍ଷତିଗ୍ରସ୍ତ ପୋଲ ଉପର ଦେଇ ଯାତାୟାତ କରିବା ଅତ୍ୟନ୍ତ ବିପଜ୍ଜନକ। ଯେପରି କୌଣସି ବଡ଼ ଦୁର୍ଘଟଣା ନଘଟେ, ସେଥିପାଇଁ ଏହି ରାସ୍ତା ବ୍ୟବହାର ନକରିବାକୁ ବାରଣ କରାଯାଇଛି। ସମସ୍ତ ଗ୍ରାମବାସୀ ଏବଂ ପଥଚାରୀଙ୍କୁ ସୁରକ୍ଷିତ ରହିବା ପାଇଁ କେବଳ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ପୋଲର ତୁରନ୍ତ ମରାମତି କିମ୍ବା ଏକ ଅସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି, ଯେପରି ଯୋଗାଯୋଗ ପୁଣି ସ୍ୱାଭାବିକ ହୋଇପାରିବ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande