
କେନ୍ଦୁଝର, ୧୯ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ କେନ୍ଦୁଝର ଷ୍ଟାଡିୟମଠାରେ ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ।
ଏହି ଜିଲ୍ଲା ସ୍ତରୀୟ ଉତ୍ସବ ଅବସରରେ କେନ୍ଦୁଝର ୱାଟକୋ ଡିଭିଜନର ଗାଡ଼ି ଚାଳକ ଶ୍ରୀ ନିରଞ୍ଜନ ଷଡ଼ଙ୍ଗୀଙ୍କୁ ତାଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ ସେବା ପାଇଁ ‘ଆଦର୍ଶ ଗାଡ଼ି ଚାଳକ’ ଭାବେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି। କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ଏବଂ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକରଙ୍କ ଗୌରବମୟ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ମହାପାତ୍ର, ଶ୍ରୀ ଷଡ଼ଙ୍ଗୀଙ୍କୁ ଏହି ମାନପତ୍ର ଓ ସମ୍ମାନ ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଶ୍ରୀ ଷଡ଼ଙ୍ଗୀ ନିଜ ଦାୟିତ୍ୱ ପ୍ରତି ନିଷ୍ଠା, ଆନ୍ତରିକତା ଓ ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ଉଚ୍ଚାଧିକାରୀଙ୍କ ଆସ୍ଥାଭାଜନ ହେବା ସହ ସମସ୍ତ ସହକର୍ମୀଙ୍କର ଅତ୍ୟନ୍ତ ଆଦରଣୀୟ ହୋଇପାରିଛନ୍ତି। ତାଙ୍କର ଏହି କର୍ତବ୍ୟପରାୟଣତା, ସାଧୁତା ଓ ସେବା ମନୋଭାବର ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ଜିଲ୍ଲା ସ୍ତରୀୟ ଶ୍ରେଷ୍ଠ ଆଦର୍ଶ ଚାଳକ ସମ୍ମାନରେ ସମ୍ମାନିତ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA