

ସମ୍ବଲପୁର, ୧୯, ଅଗଷ୍ଟ (ହି.ସ.) ଆଜି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ ଉପସ୍ଥିତିରେ ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କାର୍ଡ ସହରର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ନିଷିଦ୍ଧ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ପ୍ରାୟ ୧୨୫ କିଲୋଗ୍ରାମ ଜବତ କରାଯାଇଥିବା ଦେଖିବାକୁ ମିଳିଥିଲା। ନିୟମ ଉଲ୍ଲଂଘନ କରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ରଖିଥିବା ଓ ବ୍ୟବହାର କରୁଥିବା ବିଭିନ୍ନ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୩୫ ହଜାର ଟଙ୍କା ଜରିମାନା ଭାବେ ଆଦାୟ କରାଯାଇଛି। ବିଭିନ୍ନ ସମୟରେ ସମ୍ବଲପୁର ସହରର ଅଳିଆ ଆବର୍ଜ୍ଜନା ନେଇ କ୍ରମାଗତ ଭାବେ ଅଭିଯୋଗ ହେବାପରେ ଏଣିକି ସହରକୁ ପ୍ଲାଷ୍ଟିକ୍ ମୁକ୍ତ ଓ ସ୍ୱଚ୍ଛ ରଖିବା ପାଇଁ ଆଗାମୀ ଦିନରେ ଏହିଭଳି ମିଳିତ ଚଢ଼ାଉ ଓ ନିୟମିତ ଯାଞ୍ଚ ଜାରି ରହିବ ବୋଲି ଅଧିକାରୀ ମହଲରୁ ଶୁଣିବାକୁ ମିଳିଛି । ସମ୍ବଲପୁର ସହରର ସମସ୍ତ ବ୍ୟବସାୟୀ ଓ ସାଧାରଣ ଜନସାଧାରଣ ନିଷିଦ୍ଧ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ଓ ବିକ୍ରୟରୁ ନିବୃତ୍ତ ରହିବା ପାଇଁ ସଚେତନ କରାଯିବା ସହ ମହାନଗର ନିଗମର ସ୍ୱଚ୍ଛତା ଅଭିଯାନରେ ସହଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ