
ଝାରୁସୁଗୁଡ଼ା, 19 ଅଗଷ୍ଟ (ହି.ସ.)-ଲଗାତାର ବର୍ଷା ଯୋଗୁଁ ଲଇକେରା ବ୍ଲକ ଖୁନ୍ତାମାଳ ପଞ୍ଚାୟତ ବାହାଲାପଡା ଗ୍ରାମର ଜଣେ ବିଧବାଙ୍କ ମାଟିଘର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଫଳରେ ଦୁଇ ଝିଅଙ୍କୁ ଧରି ଆଶ୍ରୟହୀନ ହୋଇ ପଡ଼ିଥିବା ତୁଲସୀ କିସାନ ବର୍ତ୍ତମାନ ଦେଢଶୁରଙ୍କ ଘରେ ଆଶ୍ରୟ ନେଇ ଦିନ କାଟୁଛନ୍ତି।
ସୂଚନା ଅନୁଯାୟୀ, ସ୍ୱର୍ଗତ କ୍ଷେତ୍ରମଣୀ କିସାନଙ୍କ ସ୍ତ୍ରୀ ତୁଲସୀଙ୍କ ମାଟିଘରର କାନ୍ଥ ମଙ୍ଗଳବାର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଥିଲା। ଘର ଭାଙ୍ଗିଯିବା ପରେ ତାଙ୍କ ପରିବାର ରହିବା ପାଇଁ ସ୍ଥାୟୀ ଆଶ୍ରୟ ହରାଇଛନ୍ତି। ତୁଲସୀ ପୂର୍ବରୁ ଘର ଖଣ୍ଡିଏ ପାଇଁ ଲଇକେରା ବ୍ଲକର ଅଭିଯୋଗ ଶୁଣାଣି ଶିବିରରେ ଆବେଦନ କରିଥିଲେ। ତେବେ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ଆବାସ ଯୋଜନାରେ ଘର ମିଳିନଥିବା ଅଭିଯୋଗ ହୋଇଛି। ଘର ଭାଙ୍ଗିଯିବା ପରେ ପରିବାରର ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଲଇକେରା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।ବର୍ଷାରେ ଘର ହରାଇଥିବା ଏହି ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ସହ ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ