
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତି ଓ ଶିଳ୍ପ ଭିତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ଦୃଢ଼ ପରିବେଶ ଗଠନ ଲକ୍ଷ୍ୟରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଗୁଜରାଟର ଧୋଲେରା ଶିଳ୍ପ ପରିଦର୍ଶନ କରିଛନ୍ତି ।
ଏହି ଅବସରରେ ଧୋଲେରାରେ ସମନ୍ୱିତ ଭିତିଭୂମି ଓ ସହର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ଆକ୍ଟିଭେସନ୍ ଏରିଆ ପରିଦର୍ଶନ କରିଛନ୍ତି । ଧୋଲେରାରେ ଦେଖାଯାଇଥିବା ଆଧୁନିକ ନଗର ଯୋଜନା ଓ ଭିତିଭୂମି ବିକାଶର ବ୍ୟାପକତା ଏହି ପରିଦର୍ଶନର ମୁଖ୍ୟ ଆକର୍ଷଣ ଥିଲା ।
ଏହା ସହିତ, ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ଫ୍ୟାବ୍ ପରିଦର୍ଶନ କରି ଥିଲେ । ସେମିକଣ୍ଡକ୍ଟର ଶିଳ୍ପର ବିକାଶ କେବଳ ଏକ ଫ୍ୟାବ୍ ସ୍ଥାପନରେ ସୀମିତ ନୁହେଁ; ଏହା ସହିତ ଆବଶ୍ୟକୀୟ ଶିଳ୍ପ ଇକୋସିଷ୍ଟମ୍, ଭେଣ୍ଡର ନେଟୱର୍କ, ଉଚ୍ଚମାନର ଭିତିଭୂମି ଓ ଦକ୍ଷ ମାନବ ସମ୍ବଳର ବିକାଶ ମଧ୍ୟ ଜଡ଼ିତ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ,”ଏହି ପରିଦର୍ଶନ ଓଡ଼ିଶାରେ ଭବିଷ୍ୟତ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ଗଠନ ପାଇଁ ମୂଲ୍ୟବାନ ଅନୁଭୂତି ଓ ଶିକ୍ଷା ପ୍ରଦାନ କରିଛି ।
ଏହି ପରିଦର୍ଶନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ ଚେୟାରମ୍ୟାନ ଭାସ୍କର ଜ୍ୟୋତି ଶର୍ମା, ଓକାକ ସିଇଓ ଡ଼. ପ୍ରଦୀପ କୁମାର ରାଉତ, ଯୁଗ୍ମ ସଚିବ କୌସ୍ତୁଭ ପାଣିଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା