
ଗଂଜାମ, 19 ଅଗଷ୍ଟ (ହି.ସ.) ବୈଦ୍ୟନାଥପୁର ଥାନା ପୋଲିସ ଜାଲିଆତି ଓ ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଅଙ୍କୁଲିରେ ଥିବା ଗ୍ଲୋବାଲ ଏଣ୍ଟରପ୍ରାଇଜେସ ସିମେଣ୍ଟ ଖୁଣ୍ଟ କାରଖାନାର ମାଲିକ ମଣିରାଜ ସାହୁ, ସୁନ୍ଦି ସାହି ଅଙ୍କୁଲି ନିବାସୀଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ସରୋଜ କୁମାର ସାହୁ, ବୟସ ବତିଶ, ଗାଁ ସୁନ୍ଦି ସାହି ଅଙ୍କୁଲି ପୁଲିସ ଗିରିଫ କରିଛି। ସେ ଅଭିଯୋଗକାରୀଙ୍କ ସମ୍ପର୍କୀୟ ଭାଇ।
ଅଭିଯୁକ୍ତ ବେକାର ଥିବାରୁ ଅଭିଯୋଗକାରୀ ତାଙ୍କୁ ମାସିକ ନଅ ହଜାର ଟଙ୍କା ଦରମାରେ କାରଖାନାର ସୁପରଭାଇଜର ଭାବେ ନିଯୁକ୍ତି ଦେଇଥିଲେ। ଆରମ୍ଭରେ ସେ ଭଲ କାମ କରୁଥିଲେ।
ପରେ ଅନ୍ୟ କର୍ମଚାରୀଙ୍କ ଠାରୁ ଜଣାପଡ଼ିଲା ଯେ ସେ କାରଖାନାର ଆର୍ଥିକ କାରବାରେ ଅନିୟମିତତା ଓ ଜାଲିଆତି କରୁଛନ୍ତି। କାରଖାନାର କିଛି ସାମଗ୍ରୀ ବିନା ଅନୁମତିରେ ଅନ୍ୟତ୍ର ପଠାଯାଉଥିବା ଦେଖାଗଲା। ଯାଞ୍ଚ କଲାପରେ ରସିଦ ବହିରେ ଅଭିଯୋଗକାରୀଙ୍କ ନାମରେ ନକଲି ଦସ୍ତଖତ ଥିବା ଜଣାପଡ଼ିଲା। ତଦନ୍ତ ପରେ ପୋଲିସ ସରୋଜ କୁମାର ସାହୁଙ୍କୁ ଗିରଫ କରିଛି। ମାମଲାର ଆଗାମୀ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ