
ଝାରସୁଗୁଡ଼ା, 19 ଅଗଷ୍ଟ (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ଜୀବନରେଖା ଇବ ନଦୀର ପ୍ରଦୂଷଣ ଓ ଶିଳ୍ପ ସଂସ୍ଥା ପକ୍ଷରୁ କଥିତ ବେଆଇନ୍ ଭୂତଳ ଜଳ ଉତ୍ତୋଳନ ଅଭିଯୋଗକୁ ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)ର ପୂର୍ବାଞ୍ଚଳ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି। ଝାରସୁଗୁଡ଼ା ସଦର ବ୍ଲକର ମରାକୁଟାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଦିଗମ୍ବର ଭୋଇ ଏନ୍ଜିଟିରେ ମାମଲା ଦାୟର କରିଥିଲେ। ଆବେଦନରେ ଅଭିଯୋଗ କରାଯାଇଛି ଯେ, ଗ୍ରୀଷ୍ମ ଋତୁରେ କମ୍ପାନୀ ୫୦ରୁ ଅଧିକ ହାଇପାୱାର ବୋର୍ୱେଲ୍ ମାଧ୍ୟମରେ ବ୍ୟାପକ ଭାବେ ଭୂତଳ ଜଳ ଉତ୍ତୋଳନ କରୁଛି। ଏଥିସହ ବର୍ଷାଜଳ ଅମଳ ପ୍ରକଳ୍ପର ଉପଯୋଗ ନକରି ଇବ ନଦୀରୁ ଅତ୍ୟଧିକ ପରିମାଣର ଜଳ ସଂଗ୍ରହ କରାଯାଉଥିବା ମଧ୍ୟ ଆବେଦନରେ ଦର୍ଶାଯାଇଛି। ଏହା ଫଳରେ ନଦୀର ସ୍ୱାଭାବିକ ଜଳପ୍ରବାହ ପ୍ରଭାବିତ ହେବା ସହ ସ୍ଥାନୀୟ ଅଞ୍ଚଳର ଜଳ ଆବଶ୍ୟକତା ଉପରେ ଗମ୍ଭୀର ପ୍ରଭାବ ପଡ଼ୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ପରିବେଶ ମଞ୍ଜୁରୀର ସର୍ତ୍ତ ଅନୁଯାୟୀ କର୍ପୋରେଟ୍ ଏନଭାରଂଟ ରେସପନ୍ସିବିଲିଟି (ସିଇଆର୍) ବାବଦରେ ୨୦୨୪-୨୫ ଓ ୨୦୨୫-୨୬ ଦୁଇ ବର୍ଷରେ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିଲେ ମଧ୍ୟ ତାହା ଖର୍ଚ୍ଚ କରାଯାଇନଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି।
ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଏନଜିଟିର ବିଚାରପତି ନ୍ୟାୟମୂର୍ତ୍ତି ଅରୁଣ କୁମାର ତ୍ୟାଗୀ, ବିଶେଷଜ୍ଞ ସଦସ୍ୟ ଡ. ଏ. ସେନ୍ଥିଲ ଭେଲ୍ ଓ ଈଶ୍ୱର ସିଂହଙ୍କୁ ନେଇ ଗଠିତ ବେଞ୍ଚ ଅଭିଯୋଗଗୁଡ଼ିକର ଯାଞ୍ଚ ପାଇଁ ଯୁଗ୍ମ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆବେଦନକାରୀ ଏବଂ ସମ୍ପୃକ୍ତ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ଉପସ୍ଥିତିରେ ନିରପେକ୍ଷ ଭାବେ ତଦନ୍ତ କରିବ। ଏହାର ରିପୋର୍ଟ ଏକ ମାସ ମଧ୍ୟରେ ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆଧାରରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବେ। ଏହି ସମଗ୍ର ପ୍ରକ୍ରିୟାର ନୋଡାଲ ଏଜେନ୍ସି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଗତ ଅଗଷ୍ଟ ୧୦ ତାରିଖରେ ଏନଜିଟିର କୋଲକାତାସ୍ଥିତ ପୂର୍ବାଞ୍ଚଳ ବେଞ୍ଚ ଏହି ଆଦେଶ ଦେଇଥିବା ବେଳେ ଅଗଷ୍ଟ ୧୮ରେ ଏହା ସାର୍ବଜନୀନ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ