
କେନ୍ଦ୍ରାପଡ଼ା , 19 ଅଗଷ୍ଟ (ହି.ସ.)ଭାରତ ସରକାରଙ୍କ ଜାତୀୟ ସ୍ତରୀୟ କୃମି ରୋଗ ନିରୀକ୍ଷଣ ଓ ନିରାକରଣ କାର୍ୟ୍ୟକ୍ରମ ଅଧୀନରେ ଚଳିତ ବର୍ଷ ଓଡ଼ିଶାର ୬ଟି ଜିଲ୍ଲାର ୭ଟି ସ୍ଥାନରେ ୯ରୁ ୧୧ ବର୍ଷ ବୟସର ଶିଶୁମାନଙ୍କ ମଳ ନମୁନା ପରୀକ୍ଷା କରାଯାଉଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ରାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟର ୯ରୁ ୧୧ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ମଳ ନମୁନା ପରୀକ୍ଷା କରାଯାଇଛି।ଭାରତ ସରକାରଙ୍କ ଏକ ୪ ଜଣିଆ ବିଶେଷଜ୍ଞ ଦଳ ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ। ଦଳରେ ଡା. ଜି. ସୁମିତ୍ରା ଡୋରା, ରିସର୍ଚ୍ଚ ଅଫିସର, ଏସ୍. ଚି. ଡି. ରୋହିତ, ରିସର୍ଚ୍ଚ ଆସିଷ୍ଟାଣ୍ଟ, ସରୋଜ ବାଲା, ଟେକ୍ନିସିଆନ୍ ଏବଂ ଅଜୟ କୁମାର, ଲାବ୍ ଆସିଷ୍ଟାଣ୍ଟ ରହିଥିଲେ।କାର୍ୟ୍ୟକ୍ରମ ଆରମ୍ଭରେ ଡା. ଡୋରା ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କୃମି ରୋଗର କାରଣ, ଏହାର ସଂକ୍ରମଣ ପ୍ରକ୍ରିୟା ଏବଂ କୃମି ରୋଗରୁ ମୁକ୍ତ ରହିବା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟକର ଅଭ୍ୟାସ ସମ୍ପର୍କରେ ସଚେତନ କରାଇଥିଲେ। ଅନ୍ୟ ସଦସ୍ୟମାନେ ମଳ ନମୁନା କିପରି ସଂଗ୍ରହ ଓ ପରୀକ୍ଷା କରାଯାଏ, ସେ ସମ୍ପର୍କରେ ବୁଝାଇଥିଲେ।ସଚେତନତା ପରେ ଛାତ୍ରଛାତ୍ରୀଙ୍କଠାରୁ ମଳ ନମୁନା ସଂଗ୍ରହ କରାଯାଇଥିଲା। ନମୁନାଗୁଡ଼ିକୁ ସୁରକ୍ଷିତ ଭାବେ ପରୀକ୍ଷା କରିବା ପାଇଁ କୋଲ୍ଡ ବକ୍ସ ବ୍ୟବହାର କରାଯାଇଥିଲା। ମୋଟ ୬୯ଟି ନମୁନା ପରୀକ୍ଷା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଏହି ଟିମ୍ ପୂର୍ବରୁ ୨୦୨୦ ମସିହାରେ ମଧ୍ୟ ରାମନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ କୃମି ରୋଗ ସମ୍ପର୍କିତ ମଳ ନମୁନା ପରୀକ୍ଷା କରିଥିଲେ। ପ୍ରାରମ୍ଭିକ ସୂଚନା ଅନୁସାରେ, ୨୦୨୦ ତୁଳନାରେ ୨୦୨୬ରେ କୃମି ରୋଗର ସଂକ୍ରମଣ ଅପେକ୍ଷାକୃତ କମ୍ ଥିବା ଜଣାପଡ଼ିଛି।କୃମି ରୋଗ ନିରାକରଣ ଲକ୍ଷ୍ୟରେ ଦେଶବ୍ୟାପୀ ପ୍ରତିବର୍ଷ ଫେବୃଆରୀ ଓ ଅଗଷ୍ଟ ମାସରେ ଜାତୀୟ କୃମିନାଶକ କାର୍ୟ୍ୟକ୍ରମ ଆୟୋଜିତ ହେଉଛି। ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ନମୁନା ପରୀକ୍ଷା ମାଧ୍ୟମରେ ଦେଶରେ କୃମି ରୋଗର ସ୍ଥିତି ଓ ପ୍ରବଣତା ସମ୍ପର୍କରେ ତଥ୍ୟ ମିଳିବ। ଏହି ତଥ୍ୟ ଆଧାରରେ ଭବିଷ୍ୟତରେ କାର୍ୟ୍ୟକ୍ରମର ଆବୃତ୍ତି ଓ ରଣନୀତି ସମ୍ପର୍କରେ ସରକାର ଆବଶ୍ୟକ ନିଷ୍ପତ୍ତି ନେଇପାରିବେ।ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କାର୍ୟ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜନ କରାଯାଇଥିବାରୁ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟର, ଆଇ.ଏ.ଏସ୍. ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ନମିତା ପଟ୍ଟନାୟକ ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।କାର୍ୟ୍ୟକ୍ରମକୁ ରାଜ୍ୟ ସ୍ତରରୁ ପୁଷ୍ଟି କାର୍ୟ୍ୟକ୍ରମର ଯୁଗ୍ମ ନିର୍ଦ୍ଦେଶକ ଡା. ସ୍ମୃତିଜିତ୍ ପଟ୍ଟନାୟକ ଏବଂ ଜିଲ୍ଲା ସ୍ତରରୁ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟର ଡେପୁଟୀ ମ୍ୟାନେଜର ଡା. ସୁକାନ୍ତ କୁମାର ପ୍ରଧାନ ଓ ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା ସଂଯୋଜନା କରିଥିଲେ।ସେହିପରି ମହାକାଳପଡ଼ା ବ୍ଲକ୍ ପକ୍ଷରୁ ଇନ୍-ଚାର୍ଜ ଡା. ନିରଞ୍ଜନ କର, ଡା. ସୌମ୍ୟ ରଞ୍ଜନ ପଣ୍ଡା, ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ପ୍ୟାରୀମୋହନ ନନ୍ଦ, ପି.ଏଚ୍.ଇ.ଓ. ମନୋରଞ୍ଜନ ପଣ୍ଡା, ବି.ଡି.ଏମ୍. ରୋଜାଲିନ ଦାସ, ରାମନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ଉପାସନା ବିଶ୍ୱାଳଙ୍କ ସମେତ ବ୍ଲକ୍ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ କାର୍ୟ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି