
ଝାରସୁଗୁଡ଼ା , 19 ଅଗଷ୍ଟ (ହି.ସ.) : ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ୧୫ ନମ୍ବର ୱାର୍ଡର ବଞ୍ଜାରୀ-ସରବାହାଲ ସଂଯୋଗକାରୀ ରାସ୍ତାରେ ଥିବା ବ୍ରିଜ୍ର କିଛି ଅଂଶ ଭାଙ୍ଗିଯାଇଛି। ଏଥିଯୋଗୁଁ ଗତ ଦୁଇଦିନ ଧରି ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବୁଧବାର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ସହ ବ୍ରିଜ୍ ପରିଦର୍ଶନ କରିଥିଲେ। ଏହି ସମୟରେ ଜିଲ୍ଲା ପରିଷଦର ସିଡିଓ ତଥା ପିଡି ଡିଆରଡିଏ ବିଶ୍ୱରଞ୍ଜନ ନାୟକ, ପୌରପାଳିକା ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ, ବିଜେପି ନେତା ବିମଳେନ୍ଦୁ ଭୋଲଙ୍କ ସମେତ ପୌରପାଳିକା ଓ ବେଦାନ୍ତର ଯନ୍ତ୍ରୀ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସାଧାରଣ ଲୋକଙ୍କ ଯାତାୟାତରେ ଯେପରି ଅସୁବିଧା ନହୁଏ, ସେଥିପାଇଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଭାବେ ବ୍ରିଜ୍ ନିର୍ମାଣ କରି ଯାତାୟାତ ସ୍ୱାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବର୍ଷା ଋତୁ ଶେଷ ହେବା ପରେ ରାସ୍ତା ଓ ପୋଲର ସ୍ଥାୟୀ ନିର୍ମାଣ କରାଯିବ ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନ ଦେଇଛନ୍ତି। ଅସ୍ଥାୟୀ ପୋଲ ନିର୍ମାଣ ନିଷ୍ପତ୍ତି ଯୋଗୁଁ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଖୁବଶୀଘ୍ର ଦୂର ହେବ ବୋଲି ଆଶା ପ୍ରକାଶ ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ