
ନୂଆପଡ଼ା,୧୯ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଶକ୍ତିଶ୍ରୀ ବିଭାଗ ପକ୍ଷରୁ ପ୍ରଜାପତି ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ନିଶାମୁକ୍ତି ଓ ଆତ୍ମସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବି.କେ. ସୂର୍ଯ୍ୟକାନ୍ତି ଭଉଣୀ ଯୋଗଦେଇ ନିଶାମୁକ୍ତ ଜୀବନର ଗୁରୁତ୍ୱ ଏବଂ ଯୁବ ସମାଜକୁ ନିଶାର କୁପ୍ରଭାବରୁ ଦୂରେଇ ରଖିବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ପଣ୍ଡା ନିଶାମୁକ୍ତି ଅଭିଯାନ ସମାଜରେ ଏକ ସୁସ୍ଥ ଓ ଶୃଙ୍ଖଳିତ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ଆତ୍ମସୁରକ୍ଷା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଅଧ୍ୟକ୍ଷା ରାଜଲକ୍ଷ୍ମୀ ରଥ, ଅଧ୍ୟାପିକା ପ୍ରଣତି ପଣ୍ଡା, ଅଧ୍ୟାପକ ପ୍ରଦୀପ କୁମାର ବେହେରା ଓ ଅଧ୍ୟାପକ ଡ. ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଗୀତାଶ୍ରୀ ପ୍ରିୟମ୍ବଦା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ