
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) ଓଡ଼ିଶାର ସୁବର୍ଣ୍ଣରେଖା ନଦୀର ଜଳସ୍ତର ଲଗାତାର ବଢ଼ୁଥିବା ବେଳେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ବୁଧବାର ବିଳମ୍ବିତ ରାତିରେ ଏହା ୧୧.୪ରୁ ୧୧.୬ ମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଦିଲୀପ ରାଉତ ଏହି ସୂଚନା ଦେଇଛନ୍ତି।
ଦିଲୀପ ରାଉତ କହିଛନ୍ତି ଯେ, ରାଜ୍ୟରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି। ଅଧିକାଂଶ ପ୍ରମୁଖ ନଦୀର ଜଳସ୍ତର ସ୍ଥିର ରହିଛି କିମ୍ବା ହ୍ରାସ ପାଉଛି। ତେବେ ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜ୍ରୁ ଅଧିକ ପରିମାଣର ପାଣି ଛଡ଼ାଯାଇଥିବାରୁ ସୁବର୍ଣ୍ଣରେଖାର ଜଳସ୍ତର ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି।
ଝାଡଖଣ୍ଡର ଗାଲୁଡିହ ବ୍ୟାରେଜ୍ରୁ ଛଡ଼ାଯାଇଥିବା ପାଣି ବୁଧବାର ରାତିରେ ରାଜଘାଟରେ ପହଞ୍ଚିବାର ସମ୍ଭାବନା ରହିଛି। ରାଜଘାଟରେ ସୁବର୍ଣ୍ଣରେଖା ନଦୀର ବିପଦସଙ୍କେତ ସ୍ତର ୧୦.୩୬ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୦.୮୩ ମିଟର ରହିଛି ଏବଂ ଏହା ଲଗାତାର ବଢ଼ୁଛି। ତେଣୁ ବିଳମ୍ବିତ ରାତିରେ ଜଳସ୍ତର ୧୧.୪ରୁ ୧୧.୬ ମିଟର ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆକଳନ କରାଯାଇଛି।
ବୁଧବାର ଭୋର ୨ଟାରୁ ସକାଳ ୭ଟା ମଧ୍ୟରେ ଗାଲୁଡିହ ବ୍ୟାରେଜ୍ରୁ ପ୍ରାୟ ୬,୬୦୦ କ୍ୟୁମେକ୍ (ଘନ ମିଟର ପ୍ରତି ସେକେଣ୍ଡ) ପାଣି ଛଡ଼ାଯାଇଥିଲା। ପରବର୍ତ୍ତୀ ସମୟରେ ଜଳ ପ୍ରବାହ ହ୍ରାସ ପାଇ ୫,୫୩୮ କ୍ୟୁମେକ୍ରେ ପହଞ୍ଚିଛି। ସୁବର୍ଣ୍ଣରେଖାରେ ଉଚ୍ଚ ଜଳପ୍ରବାହ ପ୍ରାୟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏହାପରେ ଗୁରୁବାର ସକାଳଠାରୁ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବା ଆଶା କରାଯାଉଛି।
ରାଜ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ବର୍ତ୍ତମାନ କମିଛି ବୋଲି ସେ କହିଛନ୍ତି। ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ଦୁଇ ଦିନ ପାଇଁ ରାଜ୍ୟରେ କୌଣସି ଚେତାବନୀ ଜାରି କରାଯାଇନାହିଁ।
ଅନ୍ୟପକ୍ଷରେ, ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ସ୍ଥିତି ମଧ୍ୟ ଅପେକ୍ଷାକୃତ ନିୟନ୍ତ୍ରଣାଧୀନ ରହିଛି। ଜଳକା ନଦୀର ଜଳସ୍ତର ୬.୫୬ ମିଟର ରେକର୍ଡ ହୋଇଥିବାବେଳେ ବିପଦସଙ୍କେତ ସ୍ତର ୬.୫୦ ମିଟର ରହିଛି। ତେବେ ନଦୀର ଜଳସ୍ତର ଧୀରେ ଧୀରେ କମୁଛି।
ବ୍ରାହ୍ମଣୀ ନଦୀର ଜେନାପୁର ଅବଜର୍ଭେସନ୍ ସାଇଟ୍ରେ ଜଳସ୍ତର ୨୧.୬୬ ମିଟର ରହିଛି। ସେଠାରେ ସତର୍କତା ସ୍ତର ୨୨ ମିଟର ଏବଂ ବିପଦସଙ୍କେତ ସ୍ତର ୨୩ ମିଟର। ରେଙ୍ଗାଲି ବ୍ୟବସ୍ଥା ମାଧ୍ୟମରେ ବ୍ରାହ୍ମଣୀର ଜଳପ୍ରବାହ ନିୟନ୍ତ୍ରଣ କରାଯାଉଛି। ବର୍ଷା ନଥିବାରୁ ବର୍ତ୍ତମାନ ବନ୍ୟା ଆଶଙ୍କା ନାହିଁ ବୋଲି ରାଉତ କହିଛନ୍ତି।
ବୈତରଣୀ ନଦୀର ଜଳସ୍ତର ମଧ୍ୟ ଆଖୁଆପଦାଠାରେ ହ୍ରାସ ପାଉଛି। ସେଠାରେ ଜଳସ୍ତର ୧୮.୫୭ ମିଟର ରହିଥିବାବେଳେ ବିପଦସଙ୍କେତ ସ୍ତର ୧୮.୩୩ ମିଟର। ମଙ୍ଗଳବାର ଏଠାରେ ଜଳସ୍ତର ପ୍ରାୟ ୧୯.୪ ମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା।
ସାଳନ୍ଦୀ ନଦୀର ଜଳସ୍ତର ଗତ ଦୁଇ ଦିନ ଧରି ପ୍ରାୟ ସ୍ଥିର ରହିଛି। ଭଦ୍ରକରେ ଏହାର ଜଳସ୍ତର ୧୬.୪ ଫୁଟ ରେକର୍ଡ ହୋଇଥିବାବେଳେ ବିପଦସଙ୍କେତ ସ୍ତର ୧୭ ଫୁଟ ରହିଛି। ସେହିପରି ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଛି ଏବଂ ଏହା ୧୭.୧୨ ମିଟର ରହିଛି। ଏଠାରେ ବିପଦସଙ୍କେତ ସ୍ତର ୧୮.୧୩ ମିଟର।
ଦିଲୀପ ରାଉତ କହିଛନ୍ତି ଯେ, ସାମଗ୍ରିକ ଭାବେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଅଧିକାଂଶ ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ଆଗାମୀ ସମୟରେ ପରିସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ