
ନୂଆପଡ଼ା,୧୯ ଅଗଷ୍ଟ (ହି.ସ.)- ବିଗତ ଜୁଲାଇ ମାସର ଶେଷ ସପ୍ତାହରେ ଲଘୁଚାପଜନିତ ଲଗାଣ ବର୍ଷା ସାଙ୍ଗକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଜଳ ନିଷ୍କାସନ ଯୋଗୁଁ ଖଡ଼ିଆଳ ସୁନ୍ଦର ନଦୀ ତଳ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ଖୁଦପେଜ ଗ୍ରାମର ସରପଡ଼ା ଏବଂ ଖୁଦପେଜ ଠାରୁ ବରଗାଁକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହି ରାସ୍ତା ଦେଇ ପଲସଦା, ଖୁଦପେଜ ସମେତ ଆଖପାଖ ଅଂଚଳର ଲୋକେ ନୂଆପଡ଼ାକୁ ଯାତାୟାତ କରୁଥିବାରୁ ରାସ୍ତା ଭାଙ୍ଗିଯିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ବିଶେଷକରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଯାତାୟାତରେ ଅସୁବିଧା ଯୋଗୁଁ ପ୍ରାୟ ୨୦ ଦିନ ହେଲା ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ଯାଇପାରୁନଥିବା ଅଭିଯୋଗ ହୋଇଛି। ରାସ୍ତାର ଦୁରବସ୍ଥା ସମ୍ପର୍କରେ ଅଂଚଳବାସୀ ଓ ସ୍ଥାନୀୟ ସରପଂଚ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା କହିଛନ୍ତି। ତେଣୁ ତୁରନ୍ତ ରାସ୍ତା ମରାମତି କିମ୍ବା ପୁନଃନିର୍ମାଣ କରି ଯାତାୟାତ ସ୍ୱାଭାବିକ କରିବାକୁ ଅଂଚଳବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଅଂଚଳବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓ ମିଳନ କୁମାର ଝାଙ୍କରଙ୍କୁ ଯୋଗାଯୋଗ କରାଯିବାରୁ ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ