
ବଲାଙ୍ଗିର, 19 ଅଗଷ୍ଟ (ହି.ସ.) ବଲାଙ୍ଗୀର ଜିଲ୍ଲାର ପ୍ରଥମସହିଦ ଆଠଗାଁ ଜମିଦାର ସହିଦ ଧରମସିଂମାଝୀ ମାନଧାତାଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରୀଠାରେ ସ୍ଥାପନ ଦାବି ଯୋରଧରିଲା । ଅଗଷ୍ଟ ୧୫ରେ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟଅତିଥି ଭାବରେ ଆସିଥିବା ଉଚ୍ଚଶିକ୍ଷା,ଓଡିଆ ଭାଷାସାହିତ୍ୟ, ସଂସ୍କୃତି ତଥା କ୍ରୀଡା ଓ ଯୁବବ୍ୟାପାରମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଭୀମପାହାଡ ମହୋତ୍ସବ କମିଟିର ଏକ ପ୍ରତିନିଧିଦଳ ଭେଟି ପ୍ରତିମୂର୍ତ୍ତି ସ୍ଥାପନର ଦୃଢଦାବି କରାଯାଇଛି।
ପ୍ରକାଶ ଯେ,ଭାରତୀୟମୁକ୍ତି ସଂଗ୍ରାମରେ ହୋଇଥିବା କନ୍ଧମେଳିରେ ପ୍ରମୁଖ ଥିବା ଚକରା ବିଶୋଇ, ରେଣ୍ଡୋ ମାଝୀଙ୍କ ସହ ଧରମସିଂମାଝି ମାନଧାତାଙ୍କ ମୁଖ୍ୟଭୂମିକା ରହିଛି। ଆଠଗାଁ ଓ ନିକଟସ୍ଥ ଭୀମଡୁଙ୍ଗୁରୀ ହେଉଛି ଏହାର ମୁକସାକ୍ଷୀ । ଭୀମଡୁଙ୍ଗୁରୀକୁ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ଉନ୍ନତିକରଣ କରାଯାଇଛି। ଏଠାରେ ସହିଦ ଧରମସିଂ ମାଝୀ ମାନଧାତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୀମପାହାଡ ମହୋତ୍ସବ କମିଟି ପକ୍ଷରୁ ରାଜ୍ୟସରକାରଙ୍କ ପାଖରେ ଦାବି ହୋଇଥିଲା । ଗତ ୨୦୨୩-୨୪ ଆର୍ôଥକବର୍ଷରେ ରାଜ୍ୟସରକାର ଏହାକୁ ଅନୁମୋଦନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେହି ପ୍ରତିମୂର୍ତ୍ତି ସ୍ଥାପନ ହୋଇ ପାରିନାହିଁ। ସେଥିପାଇଁ ଅଞ୍ଚଳରେ ଜନଅସନ୍ତୋଷ ଦେଖା ଦେଉଛି। ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ମଧ୍ୟ ବର୍ତ୍ତମାନର ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ପତ୍ରଲେଖି ଦାବି ରଖିଛନ୍ତି। ଭୀମଡୁଙ୍ଗୁରୀରେ ସହିଦ ଧରମସିଂ ମାଝୀ ମାନଧାତାଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ଏକ ଆଦିବାସୀ ମ୍ୟୁଜିୟମ ସ୍ଥାପନ କରିବାକୁ ଦାବି କରାଯାଇଛି। ଭୀମପାହାଡ ମହୋତ୍ସବ କମିଟି ପକ୍ଷରୁ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ନେତୃତ୍ୱରେ ସଭାପତି ପ୍ରମୋଦକୁମାର ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ,କୋଷାଧ୍ୟକ୍ଷ ତଥା ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ,ବିଧାୟକଙ୍କ ବ୍ଲକପ୍ରତିନିଧି ସୁଶିଳକୁମାର ଚାନ୍ଦ, ରାଜୁ ମେହେର ପ୍ରମୁଖ ମନ୍ତ୍ରୀ ସୂର୍ଯ୍ୟବଂଶୀ ଙ୍କୁ ଭେଟି ଦାବିପତ୍ର ଦେଇ ଆଲୋଚନା କରିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ପ୍ରତିନିଧିଦଳଙ୍କୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ