
ବଲାଙ୍ଗିର, 19 ଅଗଷ୍ଟ (ହି.ସ.)ନିଜ ଜନ୍ମମାଟି ଛତାମଖନାରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପ୍ରଜା ଆନ୍ଦୋଳନର ପୁରୋଧା ସ୍ୱର୍ଗତ ଯୁଧିଷ୍ଟିର ମିଶ୍ରଙ୍କ ଜୟନ୍ତୀ ସମାରୋହ ନରସିଂହ ସେନା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ ଯୁଧିଷ୍ଟିର ମିଶ୍ରଙ୍କ ସ୍ୱାଧିନତା ସଂଗ୍ରାମୀ ଅବଦାନ ଓ ସାଧାରଣ ଲୋକଙ୍କ ଅଧିକାର ଓ ସାମାଜିକ ନ୍ୟାୟ ପାଇଁ ତାଙ୍କ ସଂଘର୍ଷକୁ ସ୍ମରଣ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ନରସିଂହ ସେନା ସଭାପତି ଶୁଭ୍ରାଂଶୁ ପଣ୍ଡା କହିଥିଲେ ଯୁଧିଷ୍ଟିର ମିଶ୍ର କେବଳ ଜଣେ ସ୍ୱାଧିନତା ସଂଗ୍ରାମୀ ନୁହନ୍ତି ସେ ଥିଲେ ନିଜର ମାଟି ଓ ମାଟିର ମଣିଷମାନଙ୍କ ପାଇଁ ସମର୍ପିତ ଜନନେତା । ତାଙ୍କ ଦେଶପ୍ରେମ, ତ୍ୟାଗ ଓ ନ୍ୟାୟ ପାଇଁ ସଂଘର୍ଷ ସଦାବେଳେ ଅଭିସ୍ମରଣୀୟ । ଜନ୍ମ ମାଟିରେ ତାଙ୍କ ଜୟନ୍ତୀ ପାଳନ କରିବା କେବଳ ଏକ ସ୍ମୃତି ଚାରଣ ନୁହେଁ ତାଙ୍କ ସ୍ୱପ୍ନର ସାମାଜିକ ଚିନ୍ତାଧାରା ଓ ଜନସେବାର ଆଦର୍ଶକୁ ଆଗକୁ ନେଇବାର ଏକ ସଂକଳ୍ପ । ନରସିଂହ ସେନାର କର୍ମକର୍ତ୍ତା ଓ ସଦସ୍ୟମାନେ ଯୁଧିଷ୍ଟିର ମିଶ୍ରଙ୍କ ସ୍ମୃତିଚାରଣ କରି ତାଙ୍କ ଆଦର୍ଶକୁ ଆଗେଇ ନେବା ସହ ସମାଜର ଅବହେଳିତ ନିସ୍ପେଷିତ ବର୍ଗଙ୍କ ଅଧିକାର ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମ ରେ ଛତାମଖନା ତଥା ଆଖପାଖ ର ବହୁ ସଂଖ୍ୟକ ମାନ୍ୟଗନ୍ୟ ବ୍ୟକ୍ତି, ବୁଦ୍ଧିଜିବୀ, ଯୁବକ ଓ ସ୍ଥାନୀୟ ବାସିନ୍ଦା ଯୋଗ ଦେଇ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଯୁଧିଷ୍ଟିର ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ