
ଏଥିପାଇଁ ଆବଶ୍ୟକ ଅତିରିକ୍ତ ଅର୍ଥ ରାଜ୍ୟ ବଜେଟରୁ ଯୋଗାଇବେ ଓଡ଼ିଶା ସରକାର
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଜଟଣୀ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ହୋମିଭାବା କ୍ୟାନସର୍ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଆବଶ୍ୟକ ଅତିରିକ୍ତ ଅର୍ଥ ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୀତିଗତ ନିଷ୍ପତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ, ଏହି ହସ୍ପିଟାଲଟି ପ୍ରସିଦ୍ଧ କ୍ୟାନସର୍ ଚିକିତ୍ସାଳୟ ଟାଟା ମେମୋରିଆଲ ସେଂଟର ଭଳି ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧୀନରେ ପ୍ରତିଷ୍ଠା କରାଯାଉଛି। ଏହି ହସ୍ପିଟାଲରେ ପୂର୍ବରୁ ଶଯ୍ୟା ସଂଖ୍ୟା ୨୦୦ ରଖାଯାଇଥିଲା, ତେବେ ପରବର୍ତୀ ସମୟରେ ଏହାକୁ ୩୮୫କୁ ବୃଦ୍ଧି କରାଯାଇଛି । ଏହି ନିର୍ମାଣ ପାଇଁ ଖର୍ଚ୍ଚ ଆକଳନ ବୃଦ୍ଧି ପାଇଛି । ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମଧ୍ୟ ଅର୍ଥ ଯୋଗାଇ ଦିଆଯାଉଛି। ତେବେ, ଯେଉଁ ଅତିରିକ୍ତ ଅର୍ଥରାଶି ଆବଶ୍ୟକ ହେବ, ଓଡ଼ିଶା ସରକାର ତାକୁ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଗତ ନିଷ୍ପତି ନେଇଛନ୍ତି । ହସ୍ପିଟାଲର ଶଯ୍ୟା କ୍ଷମତା ବୃଦ୍ଧି ଓ ଅନ୍ୟାନ୍ୟ ଭିତିଭୂମି ଉପକରଣ ପାଇଁ ଏହି ଅର୍ଥ ବିନିଯୋଗ ହେବ ।
ସୂଚନାଯୋଗ୍ୟ ଯେ, ମୁମ୍ୱାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ବହୁ ସଂଖ୍ୟକ ଓଡ଼ିଆ ରୋଗୀ ପ୍ରତିଦିନ ଯାଇଥାନ୍ତି । ଜଟଣୀରେ ଏହି ହସ୍ପିଟାଲ ପ୍ରତିଷ୍ଠା ପରେ ଏହାଦ୍ୱାରା କେବଳ ଓଡ଼ିଶାର ରୋଗୀମାନେ ନୁହେଁ ବରଂ ପୂର୍ବ ଭାରତର ସମସ୍ତ କର୍କଟ ରୋଗୀ ଉପକୃତ ହେବେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା