
ଭୁବନେଶ୍ୱର, 19 ଅଗଷ୍ଟ (ହି.ସ.): ପୂର୍ବତନ
ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲାର
ବିଜେପୁର ଅଞ୍ଚଳସ୍ଥିତ ତାଙ୍କ ପୈତୃକ ଗ୍ରାମ ଦାନରଗୁଡ଼ାରେ ପରଲୋକ ଘଟିଛି। ସେ ଛାତିରେ
ଯନ୍ତ୍ରଣା ଅନୁଭବ କରିବା ପରେ ଚିକିତ୍ସାଧୀନ ଥିଲେ। ତାଙ୍କ ଦେହାନ୍ତରେ ସମଗ୍ର କଳାହାଣ୍ଡି
ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
ଶିବାଜୀ ମାଝୀ ରାଜନୀତିରେ
ପ୍ରବେଶ କରିବା ପରେ ନବଗଠିତ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଥମ ବିଧାୟକ ଭାବେ
ପ୍ରତିନିଧିତ୍ୱ କରିଥିଲେ। ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ଭାବେ ଏହି ଅଞ୍ଚଳର
ପ୍ରତିନିଧିତ୍ୱ କରିଥିଲେ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ
ଆଦିବାସୀ ବହୁଳ ତଥା ଦୁର୍ଗମ ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ଅଞ୍ଚଳର ବିକାଶ ସହ ସ୍ଥାନୀୟ
ଲୋକଙ୍କ କଲ୍ୟାଣ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। ଅଞ୍ଚଳରେ ମୌଳିକ ସୁବିଧା ଓ ବିକାଶ
ସମ୍ପର୍କିତ ସମସ୍ୟାଗୁଡ଼ିକୁ ସେ ପ୍ରାଥମିକତା ଦେଇଥିଲେ।
କଳାହାଣ୍ଡି ଜିଲ୍ଲାରେ
ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିଷଦ ଗଠନ ପରେ ଶିବାଜୀ ମାଝୀ ଏହାର ପ୍ରଥମ
ଅଧ୍ୟକ୍ଷ ହୋଇଥିଲେ। ନିଜ କାର୍ଯ୍ୟକାଳରେ ସେ ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ବିକାଶ ଏବଂ କଲ୍ୟାଣ ପାଇଁ ଅନେକ
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା